ବାଚସ୍ପତି ପଦ ଅଳଙ୍କୃତ କଲେ ସୁରମା ପାଢୀ, କହିଲେ- ଗୃହର ଗରିମା ରକ୍ଷା କରିବି


ଭୁବନେଶ୍ୱର: ବିଜେପିର ବିଧାୟିକା ସୁରମା ପାଢୀ ଓଡିଶା ବିଧାନସଭାର ବାଚସ୍ପତି ହୋଇଛନ୍ତି । ସେ ଗୁରୁବାର ନିଦ୍ୱନ୍ଦ୍ୱର୍ରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଏଥିସହ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଗୃହ ପରିଚାଳନା କରିଛନ୍ତି । ଏହି ଅବସରରେ ଗୃହରେ ବାଚସ୍ପତି ସୁରମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କେଭି ସିଂହ ଦେଓ । ବିଜେଡି ବିଧାୟକ ଦଳ ନେତା, କଂଗ୍ରେସ ଓ ସିପିଏମ ବିଧାୟକ ଦଳ ସଦସ୍ୟ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ପଦ ଗ୍ରହଣ ପରେ ସୁରମା ପାଢୀ କହିଛନ୍ତି, ମୁଁ କେବେ କଳ୍ପନା କରି ନ ଥିଲି ଏହି ପଦରେ ବସିବି । ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ । ମୁଁ ନିଶ୍ଚିତ ଭାବେ ନିରପେକ୍ଷତା ଅବଲମ୍ବନ କରିବି । ଗୃହ ପରିଚାଳନା ପାଇଁ ଆପଣଙ୍କ ସହଯୋଗ କାମନା କରୁଛି । ଆଉ ମୁଁ ଗୃହର ଗରିମା ରକ୍ଷା କରିବି । ଉଲ୍ଲେଖନୀୟ ଗତକାଲି ବିଜେପି ପକ୍ଷରୁ ଆନୁଷ୍ଠାନିକ ଘୋଷଣା ପରେ ସୁରମା ପାଢୀ ବାଚସ୍ପତି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ବ୍ୟତୀତ ଆଉ କେହି ପ୍ରତିଦ୍ୱନ୍ଦୀ ନ ଥିଲେ । ତେଣୁ ସେ ଆଜି ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଶପଥ ଗ୍ରହଣ ସମାରୋହ ପରଠୁ ସୁରମା ପାଢୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନ ଥିଲା । ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ବିଜେପି ଏହି ସାମ୍ବିଧାନିକ ପଦରେ ବସାଇବା ନେଇ କୁହାଯାଉଥିଲା । ଜଣେ ଅଭିଜ୍ଞ ରାଜନେତା ହେଉଛନ୍ତି ସୁରମା । ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ସୁରମା । ୨୦୦୦ ମସିହାରେ ସେ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଥିଲେ । ଏହାଛଡ଼ା ଦଳର ବିଭିନ୍ନ ପଦ ପଦବୀରେ କାମ କରିଛନ୍ତି । ୨୦୦୪ରେ ୧୩ତମ ଓଡ଼ିଶା ବିଧାନସଭାକୁ ସେ ରଣପୁରରୁ ନିର୍ବାଚିତ ହୋଇଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ଓ ୨୦୧୪ରେ ରଣପୁରରୁ ବିଜେପି ଟିକେଟରୁ ନିର୍ବାଚନ ଲଢି ସେ ପରାସ୍ତ ହୋଇଥିଲେ । ତେବେ ୨୦୨୪ରେ ରଣପୁରରୁ ଲଢି ବିଜୟୀ ହୋଇଛନ୍ତି ସୁରମା । ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ସେ ପରାସ୍ତ କରିଛନ୍ତି ।