ବିଧାନସଭାର ନୂଆ ବାଚସ୍ପତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଲେଖିଲେ ନିଆରା ଶୁଭେଚ୍ଛା ବାର୍ତ୍ତା


ଭୁବନେଶ୍ୱର: ଓଡ଼ିଶାର ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢ଼ୀ । ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଲେଖିଛନ୍ତି, ଆପଣ ଏହି ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗାକରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ୍ ଭାବରେ ପରିଚାଳନା କରିବେ

ଆମେ ସଭିଏଁ ଓଡ଼ଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବା କରିବା ନିମନ୍ତେ ଦୃଢ ସଂକଳ୍ପବଦ୍ଧ। ମୋର ଆଶା, ଆମେ ସଭିଏଁ ଗୃହକାର୍ଯ୍ୟରେ ବାଚସ୍ପତିଙ୍କୁ ସାହାଯ୍ୟ ଓ ସହଯୋଗ କରି ଏବଂ ଗୃହର ପରମ୍ପରା ଓ ପଦମର୍ଯ୍ୟାଦା ବଜାୟ ରଖିବା ପ୍ରତି ଗୁରୁତ୍ବାରୋପ କରିବା ଆବଶ୍ୟକ । ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହର ସମସ୍ତ ସଦସ୍ୟା ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶାବାସୀଙ୍କୁ ମଧ୍ୟ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ।

ବିଜେପିର ବିଧାୟିକା ସୁରମା ପାଢୀ ଓଡିଶା ବିଧାନସଭାର ବାଚସ୍ପତି ହୋଇଛନ୍ତି । ସେ ଗୁରୁବାର ନିଦ୍ୱନ୍ଦ୍ୱର୍ରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଏଥିସହ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଗୃହ ପରିଚାଳନା କରିଛନ୍ତି ।

ପଦ ଗ୍ରହଣ ପରେ ସୁରମା ପାଢୀ କହିଛନ୍ତି, ମୁଁ କେବେ କଳ୍ପନା କରି ନ ଥିଲି ଏହି ପଦରେ ବସିବି । ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ । ମୁଁ ନିଶ୍ଚିତ ଭାବେ ନିରପେକ୍ଷତା ଅବଲମ୍ବନ କରିବି । ଗୃହ ପରିଚାଳନା ପାଇଁ ଆପଣଙ୍କ ସହଯୋଗ କାମନା କରୁଛି । ଆଉ ମୁଁ ଗୃହର ଗରିମା ରକ୍ଷା କରିବି ।