ଝାରସୁଗୁଡା: ୨୦୨୪ ବିଧାନସଭା ନିର୍ବାଚନରେ ଝାରସୁଗୁଡା ଆସନରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଏହି ଆସନରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠୁ ହାରିଥିଲେ । ଦୀପାଳି ଦାସ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଇସିଆଇଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଭୋଟ୍ ଗଣତି ପରେ ଦୀପାଳି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ପୁଣି ଥରେ ଚେକିଂ ଓ ଭେରିଫିକେସନ ପାଇଁ ଇସିଆଇ ଦୀପାଳିଙ୍କ ଆବେଦନ ଗ୍ରହଣ କରିଥିବା ଜଣା ଯାଇଛି । ଏହା ସହିତ ଝାରସୁଗୁଡାର ୧୩ଟି ପୋଲିଂ ଷ୍ଟେସନର ଇଭିଏମ ଯାଞ୍ଚ ଅନୁମତି ଦିଆଯାଇଛି । ସାମ୍ବିଧାନିକ ବ୍ୟବସ୍ଥାରେ ଅଧିକାର ପାଇଁ ଲଢେଇ ଲଢୁଛି ବୋଲି କହିଛନ୍ତି ଦୀପାଳି ।
ସୂଚନାଯୋଗ୍ୟ, ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଦୀପାଳି ଦାସ ଏବଂ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଶେଷରେ ଟଙ୍କଧର ୧୩୩୩ ଖଣ୍ଡ ଭୋଟରେ ଦୀପାଳିଙ୍କୁ ହରାଇଥିଲେ । ଟଙ୍କଧରଙ୍କୁ ୯୧ ହଜାର ୧୦୫ ଭୋଟ୍ ମିଳିଥିବା ବେଳେ ଦୀପାଳିଙ୍କୁ ୮୯ ହଜାର ୭୭୨ ଖଣ୍ଡ ଭୋଟ୍ ମିଳିଥିଲା । ଏହା ପୂର୍ବରୁ ଦୀପାଳି ବାପା ନବ ଦାସଙ୍କ ହତ୍ୟା ପରେ ଅନୁଷ୍ଠିତ ଉପ ନିର୍ବାଚନରେ ଜିତି ପ୍ରଥମ ଥର ବିଧାନସଭାକୁ ଯାଇଥିଲେ । ହେଲେ ତାଙ୍କୁ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡିଛି ।