Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ୩ଟାରୁ ମହାପ୍ରଭୁଙ୍କ ଗଜାନନ ଦର୍ଶନ

ପୁରୀ: ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି। ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡ଼ପଲାଗି ନୀତି ଶେଷ ହେବା ପରେ ଜଳ ବିଜେ ନୀତି ଆରମ୍ଭ ହୋଇ ଯାଇଛି। ଏହା ପରେ ଅପରାହ୍ନ ୩ଟାରୁ ଗଜାନନବେଶ ଆରମ୍ଭ ହେବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ଦେଖିବାର ଅପୂର୍ବ ସୁଯୋଗ ପାଇଛନ୍ତି। ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି।

ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର୍ ସାଢ଼େ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ଭିତରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ବିଜେ କରିଥିଲେ। ପହଣ୍ଡି ଶେଷ ପରେ ପୂର୍ବାହ୍ନ ୯ଟା ୧୦ରେ ମଙ୍ଗଳଆଳତି ହୋଇଥିଲା। ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ।

ଅପରାହ୍ନ ୩ଟାରେ ଗଜପତି ମହାରାଜା ଛେରା ପହଁରା କରିବାପରେ ଅପରାହ୍ନ ୩ଟା ୪୦ରେ ଗଜାନନ ବେଶ ଆରମ୍ଭ ହେବ। ରାତି ସାଢ଼େ ୭ଟାରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ। ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ। ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ। ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ