ପୁରୀ: ସ୍ନାନବେଦୀରେ ଦିବ୍ୟ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ତିନି ଠାକୁର । ଅଣସର ଘରେ ଚାଲିଛି ଗୁପ୍ତ ପୂଜା । ସେଥିପାଇଁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରୁନାହାନ୍ତି ଶ୍ରଦ୍ଧାଳୁ । ଏହି ସମୟରେ ତିନି ଠାକୁରଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟ୍ଟି ଦିଅଁ ଭାବେ ପୂଜା ପାଇବେ । ଏଥିପାଇଁ ବିଳମ୍ବିତ ରାତିରେ ପଟ୍ଟି ଦିଅଁ ଓ ଅନ୍ୟ ଦେବାଦେବୀ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟ୍ଟି ଦିଅଁ ବି ଶ୍ରୀମନ୍ଦିରକୁ ବିଜେ କରିଛନ୍ତି । ଅନ୍ୟପଟେ ବିଳମ୍ବିତ ରାତିରେ ବାହୁଡ଼ା ପହଣ୍ଡି ଶେଷ ପରେ ଶ୍ରୀଜିଉଙ୍କ ସୁନାଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି ।
ଶ୍ରୀଜିଉ ଅଣସର ଘରେ ଥିବାରୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ଆଜିଠାରୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭୋରରୁ ଅଲାରନାଥ ପୀଠରେ ଦ୍ୱାର ଫିଟା, ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ପରେ ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିଛି । ବିଶ୍ୱାସ ରହିଛି ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କଲେ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେହି ଫଳ ପ୍ରାପ୍ତି ହୋଇଥାଏ । ଶ୍ରୀମନ୍ଦିର ଭୋଗନୀତି ପରି ଅଲାରନାଥ ପୀଠରେ ମଧ୍ୟ ଭୋଗ ହୁଏ ।
ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଅଲାରନାଥଙ୍କ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜଣେ ଏସପି, ୨ ଜଣ ଡିଏସପି ଓ ୪ ଜଣ ଇନ୍ସପେକ୍ଟରଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।