ପୁରୀ: ସ୍ନାନ ପୂର୍ଣ୍ଣିମାରେ ପୁରୀ ଯାଇ ତିନି ଠାକୁରଙ୍କ ଗଜାନନ ବେଶ ଦର୍ଶନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହାସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ଖୋଲାଯିବା ନେଇ ସଙ୍କେତ ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ମେହାନ ଚରଣ ମାଝୀଙ୍କ ସହ ପୁରୀ ଯାଇ ଶ୍ରୀଜିଉଙ୍କ ହାତୀ ବେଶ ଦର୍ଶନ କରିଥିଲେ ପୃଥ୍ବୀରାଜ ।
ଦର୍ଶନ କରି ଫେରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଆଇନ ମନ୍ତ୍ରୀଙ୍କୁ ରତ୍ନଭଣ୍ଡାର ଖୋଲିବା ବାବଦରେ ପ୍ରଶ୍ନ କରିଥିଲେ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଆଇନମନ୍ତ୍ରୀ କହିଥିଲେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ଶୀଘ୍ର ନିଷ୍ପତ୍ତି ନେବେ । ରତ୍ନଭଣ୍ଡାର ଖୋଲିବା ନେଇ ପ୍ରାରମ୍ଭିକ ଆଲୋଚନା ସରିଛି । ରତ୍ନଭଣ୍ଡାର ଖୋଲିବା ତାରିଖ ଧାର୍ଯ୍ୟ ହେଲେ ଜଣେଇ ଦିଆଯିବ । ରତ୍ନଭଣ୍ଡାର ଖୋଲିବା ଦିନେ କି ଦୁଇ ଦିନର କାମ ନୁହେଁ । ପୂର୍ବଥର ରତ୍ନଭଣ୍ଡାର ଖୋଲିବା ସହ ଗଣତି ମଣତି ପାଇଁ ୭୦ ଦିନ ସମୟ ଲାଗିଥିଲା । ଏଥର ମଧ୍ୟ ଲମ୍ବା ସମୟ ଲାଗିବ । ଶୀଘ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ବୋଲି ପୃଥ୍ୱୀରାଜ କହିଛନ୍ତି ।