ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ ସିବିଆଇ


ନୂଆଦିଲ୍ଲୀ: ସିବିଆଇ କରିବ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ । ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଏପଟେ ଏନଟିଏ ଡିଜି ପଦରୁ ସୁବୋଧ କୁମାର ସିଂଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖାରୋଲା ।

ନିଟ ଓ ୟୁଜିସି ନେଟରେ ଅନିୟମିତତାକୁ ନେଇ ସରକାର ଏହି ପଦକ୍ଷେପ ନେଇଛନ୍ତି । ପ୍ରଦୀପ ସିଂ ହେଉଛନ୍ତି ଇଣ୍ଡିଆନ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନର ଅଧ୍ୟକ୍ଷ ତଥା ମ୍ୟାନେଜିଂ ଏଡିଟର । ତାଙ୍କୁ ଏନଟିଏର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଅନ୍ୟପଟେ ଆଜି ହେବାକୁ ଥିବା ନିଟ ପିଜି ପରୀକ୍ଷାକୁ ବାତିଲ କରାଯାଇଛି । ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଆଶଙ୍କାରେ ଏହି ନିଷ୍ପତ୍ତି ନିଆଯାଇଛି । ନିଟ ପିଜି ପରୀକ୍ଷାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଲାଗି ଏହି ପଦକ୍ଷେପ ନିଆଯାଇଥିବା ସ୍ବାସ୍ତ୍ୟ ମନ୍ତ୍ରାଳୟ କହିଛି ।

ଦେଶର ୩୦୦ ସହରର ୧ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯିବା ଲାଗି ଧାର୍ଯ୍ୟ ହୋଇଥିଲା । କିଛିଦିନ ଧରି ନିଟ ଓ ୟୁଜିସି ନେଟକୁ ନେଇ ସାରା ଦେଶରେ ପ୍ରତିବାଦ ଓ ଆନ୍ଦୋଳନ ହେଉଛି । ପ୍ରଶ୍ନପତ୍ର ଲିକଠାରୁ ଆରମ୍ଭ କରି ଲଜିଷ୍ଟିକ ଆଦି ସମସ୍ୟା ପ୍ରସଙ୍ଗରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥିଲା । ନିଟରେ ଅନିୟମିତତା ସହ ମାର୍କିଂରେ ତ୍ରୁଟି ଆଦି କାରଣରୁ ଏନଟିଏର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା ।