Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ୟ ନେତାଙ୍କ ପରି ପ୍ରଦୀପ ମାଝୀଙ୍କ ଅବସ୍ଥା ହେବନି ତ ! ଦକ୍ଷିଣ ଓଡିଶାର ଏହି ନେତାଙ୍କ ଆଭିମୁଖ୍ୟ କ’ଣ ?

କୋରାପୁଟ: ଦକ୍ଷିଣ ଓଡିଶାର ପୁରୁଖା ତଥା ଟାଣୁଆ ନେତା ହେଉଛନ୍ତି ପ୍ରଦୀପ ମାଝୀ। କଂଗ୍ରେସରେ ଦୀର୍ଘ ଦିନ ରହିବା ପରେ ବିଜୁ ଜନତା ଦଳରେ ନିଜ ରାଜନୈତିକ କ୍ୟାରିୟରର ଦ୍ଵିତୀୟ ଇନିଂସ ଆରମ୍ଭ କରିଛନ୍ତି। କିନ୍ତୁ କଂଗ୍ରେସ ନେତା ଭାବେ ତାଙ୍କ ଛବି ବେଶ ବଳିଷ୍ଠ ରହିଥିଲା। ବିଭିନ୍ନ ପ୍ରସଙ୍ଗରେ ବେଶ ଶାଣିତ ସ୍ଵରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ। ଯୁବପିଢିଙ୍କ ଗହଣରେ ବେଶ ଆଦୃତ ଲାଭ କରିଥିଲେ। ସେଥିପାଇଁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ସେ ନିକଟତର ଥିଲେ। ଦିଲ୍ଲୀ ଦରବାରରେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଥିଲା। ହେଲେ ସଂପ୍ରତି ରାଜନୀତିରେ ତାଙ୍କୁ ଖୁବ୍ କମ ଦେଖିବାକୁ ମିଳୁଛି। ବିଜେଡିର କାଁ ଭାଁ ସାମ୍ବାଦିକ ସମ୍ମିଳନୀ କିମ୍ବା ନିର୍ବାଚନ ପ୍ରଚାରରେ ପ୍ରଦୀପ ମାଝୀଙ୍କୁ ଦେଖିବାକୁ ମିଳୁଥିଲେ ହେଁ ସାଂପ୍ରତିକ ରାଜ୍ୟ ରାଜନୀତିରେ ତାଙ୍କର ସକ୍ରିୟତା କମ୍ ରହିଥିବା ପ୍ରତୀତମାନ ହୋଇଛି।

ନିଜକୁ ଦଳରେ ଅଣନିଃଶ୍ଵାସୀ ମନେ କରି ପ୍ରଦୀପ ମାଝୀ କଂଗ୍ରେସ ଛାଡିଥିଲେ। କେନ୍ଦ୍ର ନେତୃତ୍ଵଙ୍କ କାର୍ଯ୍ୟଶୈଳୀ ପ୍ରତି ବିମୁଖ ଥିଲେ। ଏହି କାରଣରୁ ୨୦୨୧ରେ ବିଜେଡିରେ ଯୋଗ ଦେଇଥିଲେ। ଆଶା କରାଯାଉଥିଲା ବିଜେଡି ତାଙ୍କୁ ବଡ ପଦ ଦେବ କିମ୍ବା ରାଜ୍ୟସଭାକୁ ପଠାଇବ। ମାତ୍ର ସେମିତି କିଛି ଦେଖିବାକୁ ମିଳିଲା ନାହିଁ। ବିଜେଡିରେ ଯେତିକି ଗୁରୁତ୍ଵ ମିଳିବା କଥା ସେତିକି ମିଳୁନଥିବା ରାଜନୈତିକ ପାଣିପାଗ ଦେଖିଲେ ଲାଗୁଛି। ବୋଧହୁଏ ୨୦୨୪ ଲୋକସଭା ନିର୍ବାଚନ କିମ୍ବା ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ଦକ୍ଷିଣ ଓଡିଶାରେ ବଡ ଦାୟିତ୍ଵ ଦେଇପାରେ। ବିଜେଡିରେ ଯୋଗ ଦେବା ବେଳେ ପ୍ରଦୀପ ମାଝୀ କହିଥିଲେ, ଦଳିତଙ୍କ ସର୍ବାଙ୍ଗୀନ ବିକାଶ ଏବଂ ସେମାନଙ୍କ ହକ୍ ପ୍ରଦାନ ପାଇଁ ସେ ବିଜେଡିରେ ମିଶିଛନ୍ତି। ରାଜ୍ୟରେ ଶାସକ ଦଳରେ ମିଶିବା ପରେ ସେ ଦଳିତ ଏବଂ ଅବହେଳିତ ବର୍ଗଙ୍କ ପାଇଁ କଣ କରିଛନ୍ତି ତାହା ସେ ନିଜେ କହିପାରିବେ।

ଆଗାମୀ ନିର୍ବାଚନକୁ ପାଖାପାଖି ଗୋଟିଏ ବର୍ଷ ସମୟ ରହିଛି। ଏବେଠୁ କିଏ କେଉଁ ଆସନରୁ ନିର୍ବାଚନ ଲଢିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ପ୍ରଦୀପ ମାଝୀ ୧୫ତମ ଲୋକସଭା ନିର୍ବାଚନରେ ନବରଙ୍ଗପୁର ଆସନରୁ ବିଜୟୀ ହୋଇଥିଲେ। କଣ ଉକ୍ତ ଆସନରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିବ ନା ଅନ୍ୟ କୌଣସି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେବ। ପ୍ରଦୀପ ମାଝୀଙ୍କ ପରି ନେତା ଏମିତି ନିଷ୍କ୍ରିୟ ରହିବା ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ପୂର୍ବରୁ ସେ ଓଡିଶା ଯୁବ କଂଗ୍ରେସର ସଭାପତି, ଓଡିଶା ପ୍ରଦେଶ କଂଗ୍ରେସର ଉପସଭାପତି ଏବଂ ଭାରତୀୟ ଯୁବ କଂଗ୍ରେସର ସଂପାଦକ ଭାବେ କାର୍ଯ୍ୟ ତୁଲାଇଛନ୍ତି। କିନ୍ତୁ ରାଜନୈତିକ ମହତ୍ଵକାଂକ୍ଷା ବିନା ନେତା ରାଜନୀତି କରିପାରିବେ ନାହିଁ।

ସ୍ଵାର୍ଥ ସିଦ୍ଧି ଲାଭ ହିଁ ସାଂପ୍ରତିକ ରାଜନୀତିର ଏକ ପରମ୍ପରା ପାଲଟିଛି। ହେଲେ ପ୍ରଦୀପ ମାଝୀଙ୍କ କ୍ଷେତ୍ରରେ ଟିକେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଜେଡିରେ ମିଶିବା ପରେ ତାଙ୍କୁ ଯଥୋଚିତ ସ୍ଥାନ ମିଳିନାହିଁ। କାରଣ ଦଳ ପରିବର୍ତ୍ତନ କରୁଥିବା ଅନେକ ନେତା ପରବର୍ତ୍ତୀ ସମୟରେ କଣଠେସା ହୋଇଥିବାର ଅନେକ ନଜିର ରହିଛି। ସବୁଠୁ ବଡ ଉଦାହଣ ହେଉଛି କଂଗ୍ରେସର ପୂର୍ବତନ ବିଧାନସଭାର ବିରୋଧୀ ଦଳ ନେତା ଭୂପିନ୍ଦର ସିଂ। ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ଏବଂ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସଂସଦର ଉଚ୍ଚସଦନରୁ କାର୍ଯ୍ୟକାଳ ସରିବା ପରେ ସେ ଏକ ପ୍ରକାର ରାଜନୀତିରୁ ଦୂରରେ ଅଛନ୍ତି। ଓଡିଶା ରାଜନୀତିରେ ନିଜର ସ୍ଥିତି ବି ହରାଇ ସାରିଛନ୍ତି। ନିଜର ରାଜନୈତିକ ଭବିଷ୍ୟତ ପାଇଁ ପ୍ରଦୀପ ମାଝୀ କଣ ଆଭିମୁଖ୍ୟ ଆପଣେଉଛନ୍ତି ତାହା ଦେଖିବା ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories