ନୂଆଦିଲ୍ଲୀ: ସିଗାରେଟ୍ ପ୍ୟାକେଟଟେ ପାଇଁ ଜଣଙ୍କ ଜୀବନ ନେଇଗଲା ଦୁର୍ବୃତ୍ତ । ଘଟଣା ଘଟିଛି ଆମେରିକାରେ । ଆଉ ମୃତ୍ୟୁବରଣ କରିଥିବା ଯୁବକ ଜଣଙ୍କ ଭାରତୀୟ ବୋଲି ଜଣାପଡ଼ିଛି । ସିଗାରେଟ୍ ପ୍ୟାକେଟଟେ ପାଇଁ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ଆମେରିକାରର ଏକ ସୁପର ମାର୍କେଟରେ କାମ କରୁଥିବା ଦାସାରୀ ଗୋପୀକୃଷ୍ଣ ।
ସୂଚନା ଅନୁଯାୟୀ, ୩୨ ବର୍ଷିୟ ଗୋପୀକୃଷ୍ଣ ଶନିବାର ଅପରାହ୍ନରେ ଷ୍ଟୋର୍ର କାଉଣ୍ଟରରେ ଥିଲେ । ଏହି ସମୟରେ ଜଣେ ଅଜ୍ଞାତ ଆକ୍ରମଣକାରୀ ଦୋକାନ ଭିତରେ ପଶି ଆସି ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା । ଏହାସହ ସେ ଚାହୁଁଥିବା ସିଗାରେଟ୍ ପ୍ୟାକେଟ୍ ନେଇ ଚାଲିଯାଇଥିଲା । ଗୁଳି ଗୋପୀକୃଷ୍ଣଙ୍କ ଦେହରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁରା ଘଟଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ଗୋପୀକୃଷ୍ଣ ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲା ୟାଜାଲିର ବାସିନ୍ଦା । ଚାକିରି ପାଇଁ ସେ ସ୍ତ୍ରୀ ଏବଂ ଦେଢ ବର୍ଷୀୟ ପୁଅକୁ ନେଇ ଆମେରିକା ଯାଇଥିଲେ । ସେଠାରେ ସେ ଏକ ସୁପରମାର୍କେଟରେ କାମ କରୁଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଏବେ ତାଙ୍କ ପରିବାରରେ ଶୋକରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗୋପୀକୃଷ୍ଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପରିବାରକୁ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏକ୍ସରେ ଲେଖିଛନ୍ତି, ଗୋପୀକୃଷ୍ଣଙ୍କ ମୃତଦେହକୁ ଘରକୁ ଫେରାଇ ଆଣିବାରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା କରିବେ । ସରକାର ତାଙ୍କ ପରିବାର ସହିତ ଅଛନ୍ତି ।