ନୂଆଦିଲ୍ଲୀ: ରାଜ୍ୟରୁ ଶାସନଭାର ଚାଲିଯିବା ପରେ ଏବେ ଚେତିଛି ବିଜେଡି । ଯେଉଁ ଦଳ ସର୍ବଦା କେନ୍ଦ୍ରରେ ଶାସନ କରୁଥିବା ଦଳକୁ ପ୍ରତି ସମୟରେ ସମର୍ଥନ କରି ଆସିଛି, ଆଜି ସେହି ଦଳ କଠୋର ହୋଇ ଉଠିଛି । ଆଉ ନରମ ନୁହେଁ ସଂସଦରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବିଜେଡି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି ।
ବୈଠକ ପରେ ବିଜେଡି ରାଜ୍ୟସଭା ସାଂସଦ ପ୍ରତିକ୍ରିୟା ଦେଇ କହିଛନ୍ତି, ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି ଏବଂ କଠୋର ଆଭିମୁଖ୍ୟ ଗ୍ରହଣ କରିବ । ଆବଶ୍ୟକ ପଡିଲେ ଗୃହର ମଧ୍ୟଭାଗକୁ ଓହ୍ଲାଇ ପ୍ରତିବାଦ କରିବ । ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ ଜୋରଦାର କରିବ ବିଜେଡି । ସଂସଦରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୁବକ, ଚାଷୀ, ମହିଳାଙ୍କ ଅଧିକାରକୁ ଉଠାଯିବ । ଲୋକସଭାରେ ଦଳର ଅନୁପସ୍ଥିତିକୁ ରାଜ୍ୟସଭାରେ ପୂରଣ କରାଯିବ । ସଂସଦରେ ଲଢେଇ ଆରପାର ହେବ ବୋଲି କହିଲେ ବିଜେଡି ସାଂସଦ ।
ସୂଚନାଯୋଗ୍ୟ, ଏହି ବିଜେଡି ଦଳ କଂଗ୍ରେସ ଯେତେବେଳେ କେନ୍ଦ୍ରରେ କ୍ଷମତାରେ ଥିଲା ସେହି ସମୟରେ ମଧ୍ୟ କଂଗ୍ରେସକୁ ସମର୍ଥନ କରୁଥିଲା । ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ବିଜେପି ପ୍ରତି ଅହେତୁକ ସମର୍ଥନ ଦେଇ ଆସିଥିଲା ବିଜେଡି । କେନ୍ଦ୍ର ସରକାରଙ୍କ ସହ ଘନିଷ୍ଠ ସଂପର୍କ ରଖି ଆସିଥିଲା । ପ୍ରତିଟି ବିଧେୟକରେ ଦଳ ସମର୍ଥନ କରି ଆସିଥିଲା । ସେ ରାଷ୍ଟ୍ରପତି ନିର୍ବାଚନ ହେଉ କି ବାଚସ୍ପତି ଅବା ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରତିଟିରେ ଦଳ ବିଜେପିକୁ ସମର୍ଥନ କରି ଆସିଥିଲା । କିନ୍ତୁ ଏବେ ରାଜନୈତିକ ସମୀକରଣ ବଦଳିଛି । ୨୪ ବର୍ଷ ପରେ ହାତରୁ କ୍ଷମତା ଚାଲିଯିବା ପରେ ଏବେ ବାଧ୍ୟବାଧକତାରେ ବିଜେଡି ସଂସଦରେ ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ଯାଉଛି ।
୨୪ ବର୍ଷ ଧରି ଓଡିଶାରେ ଶାସନ କରିଥିବା ବିଜେଡି ଏବେ ସଂସଦରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୁବକ, ଚାଷୀ, ମହିଳାଙ୍କ ଅଧିକାରକୁ ଉଠାଯିବା କଥା କହିଛି । ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ ଜୋରଦାର କରିବ ବୋଲି କହୁଛି । କିନ୍ତୁ ଏହି ଦଳ ଶାସନରେ ଥିବା କ୍ଷମତା ଉପଭୋଗ କରି ଚାଲିଥିଲା । କେନ୍ଦ୍ର ସରକାର ସହ ମୁଲଚାଲ କରି ଚାଲିଥିଲା । ଆଉ ଏବେ ରାଜ୍ୟର କ୍ଷମତାରୁ ବେଦଖଲ ହେବା ପରେ ଲୋକଙ୍କ ମୌଳିକ ସୁବିଧାକୁ ନେଇ କୁମ୍ଭୀର କାନ୍ଦଣା ଆରମ୍ଭ କରିଛି ବିଜେଡି ।
ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଲୋକସଭାରେ ମୂଳପୋଛ ହୋଇ ଯାଇଛି । ଓଡିଶାର ୨୧ ସିଟରୁ ଦଳ ଗୋଟିଏ ବି ଜିତି ପାରି ନାହିଁ । ଏବେ ଦଳ କେବଳ ସଂସଦର ଉଚ୍ଚସଦନ ରାଜ୍ୟସଭାରେ ନିଜର ସ୍ଥିତି ଜାହିର କରିବ । ସେହିପରି ବିଧାନସଭାରେ ଦଳ ୫୧ ସିଟ୍ ଜିତି ନିର୍ବାଚନ ହାରିଛି । ବିଜେପି ୭୮ ସିଟ୍ ଜିତି ପ୍ରଥମ ଥର ସରକାର ଗଢିଛି ।