ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର: ପ୍ରଥମ ବର୍ଷାରେ ଛାତରୁ ଗଳିଲା ପାଣି, ରାମଲଲାଙ୍କ ପୂଜାରେ ବାଧା


ଅଯୋଧ୍ୟା: ରାମଲଲାଙ୍କ ଭବ୍ୟ ମନ୍ଦିର । ଅଯୋଧ୍ୟାରେ ନିର୍ମିତ ଏହି ଭବ୍ୟ ମନ୍ଦିର ସାରା ବିଶ୍ବରେ ଚର୍ଚ୍ଚାରେ ରହିଛି । ମନ୍ଦିର ତ ଭବ୍ୟ ଦିଶୁଛି । ଏଥିରେ ପ୍ରଭୁ ଶ୍ରୀରାମ ବିରାଜିତ ହେବା ପରେ ଏହା ଦିବ୍ୟ ହୋଇଯାଇଛି । ହେଲେ ମନ୍ଦିର ନିର୍ମାଣଙ୍କୁ ନେଇ ଆସିଛି ଏମିତି ଖବର ଯାହା ଆପଣଙ୍କୁ ଦୁଃଖିତ କରିଦେବ । ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ରାମ ମନ୍ଦିରରୁ ଗଳୁଛି ପାଣି । ପ୍ରଥମ ବର୍ଷାରେ ହିଁ ମନ୍ଦିର ଅବସ୍ଥା ବେହାଲ ହୋଇଗଲାଣି । ଗର୍ଭ ଗୃହରେ ମନ୍ଦିର ଛାତରୁ ପ୍ରବଳ ମାତ୍ରାରେ ପାଣି ଗଳୁଛି । ଏପରିକି ରାମ ଲଲାଙ୍କ ପୂଜାର୍ଚ୍ଚନା କରିବା ବି କଷ୍ଟକର ହୋଇପଡ଼ିଲା । ଯାହା ରାମ ମନ୍ଦିର ପୂଜକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି ।

ଗତ ଶନିବାର ରାତିରେ ଅଯୋଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହୋଇ ଯାଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ବି ଜଳମଗ୍ନ ହୋଇ ଯାଇଥିଲା । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ, ରାମଲାଲାଙ୍କ ସମ୍ମୁଖରେ ପୂଜାରୀଙ୍କ ବସିବା ନିମନ୍ତେ ବ୍ୟବସ୍ଥା ହୋଇଛି । ଏଥିସହ ଆସୁଥିବା ଭିଆଇପିଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା ହୋଇଛି । ମାତ୍ର ଶନିବାର ବିଳମ୍ବିତ ରାତିରେ ହୋଇଥିବା ପ୍ରଥମ ବର୍ଷାରେ ହିଁ ଗର୍ଭଗୃହ ଜଳମଗ୍ନ ହୋଇ ଯାଇଥିଲା ।

ଛାତରୁ ଅନବରତ ଗଳୁଥିବା ପାଣି ଯୋଗୁଁ ପୂଜା ସ୍ଥଳରେ ପାଣି ଭର୍ତ୍ତି ହୋଇ ଯାଇଥିଲା । ଗର୍ଭ ଗୃହରୁ ପାଣି ନିଷ୍କାସନର ସୁବ୍ୟବସ୍ଥା ହୋଇ ନ ଥିବା ବେଳେ ଉକ୍ତ ପାଣିକୁ ନିଷ୍କାସନ କରିବା ନିମନ୍ତେ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା । ଏହାପରେ ଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ।

ବର୍ଷା ଆରମ୍ଭରୁ ମନ୍ଦିରର ଏପରି ଅବସ୍ଥା ହେଲେ ଆଗକୁ ଲଗାଣ ବର୍ଷାରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟ ପୂଜକ । ଏଥିସହ ସେ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସୁଦକ୍ଷ ଇଞ୍ଜିନିୟରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ନିର୍ମାଣ ହୋଇଛି । ଏହାପରେ ବି କିପରି ଏପରି ସାଂଘାତିକ ତ୍ରୁଟି ରହିଗଲା ବୋଲି ସେ ପ୍ରଶ୍ନ କରିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛନ୍ତି ।

ଏନେଇ ମନ୍ଦିର ପ୍ରଶାସନକୁ ଅବଗତ କରାଯିବା ପରେ ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମନ୍ଦିରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ତୁରନ୍ତ ଛାତର ମରାମତି ତଥା ୱାଟର ପ୍ରୁଫିଂ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଗତ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କରାଇଥିଲେ । ଏହି ଅବସରରେ ଦେଶ ବିଦେଶରୁ ହଜାର ହଜାର ଭିଭିଆଇପି ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ଅଂଶବିଶେଷ ପାଲଟିଥିଲେ ।