ଦେଶ ଇତିହାସରେ ପ୍ରଥମ ଥର ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ, ଓମ ବିର୍ଲାଙ୍କ ବିରୋଧରେ କେ. ସୁରେଶ କଂଗ୍ରେସ ପ୍ରାର୍ଥୀ


ନୂଆଦିଲ୍ଲୀ: ଦେଶ ଇତିହାସରେ ପ୍ରଥମ ଥର ବାଚସ୍ପତି ପଦରେ ନିର୍ବାଚନ ହେବାକୁ ଯାଉଛି । ଲୋକସଭା ବାଚସ୍ପତି ପଦକୁ ନେଇ ସହମତି ନ ହେବାରୁ ବିରୋଧୀ ନିଜର ପ୍ରାର୍ଥୀ ଘୋଷଣା କରିଛି । କେ ସୁରେଶ ବିରୋଧୀ ଦଳର ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି । ଏନଡିଏ ପକ୍ଷରୁ ଓମ ବିର୍ଲା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଲୋକସଭାର ବାଚସ୍ପତି ଭାବେ ଓମ ବିରଲା ପୁଣି ଥରେ ନାମାଙ୍କନ ଦାଖଲ କରିଛନ୍ତି ।

ଏହା ପୂର୍ବରୁ ଖବର ଆସିଥିଲା ଯେ, ତାଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି । କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଓ ଡିଏମକେ ସମେତ ସମସ୍ତ ବିରୋଧୀ ଦଳ ତାଙ୍କ ନାମରେ ସହମତି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ବିରୋଧୀ କହିଥିଲେ, ଯଦି ଉପବାଚସ୍ପତି ପଦ ବିରୋଧୀଙ୍କୁ ନ ମିଳେ ତେବେ ଆମେ ବାଚସ୍ପତି ପଦ ପାଇଁ ନିଜର ପ୍ରାର୍ଥୀ ଦେବୁ ।

ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ, ଯଦି ବିରୋଧୀ ଦଳକୁ ଉପ ବାଚସ୍ପତି ପଦ ମିଳେ ତେବେ ଆମେ ଓମ ବିର୍ଲାଙ୍କୁ ବାଚସ୍ପତି ପଦରେ ସମର୍ଥନ ଦେବୁ । ରାଜନାଥ ସିଂ ଗତକାଲି ସନ୍ଧ୍ୟାରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଫୋନ କରି ଏହି ବିଷୟରେ କଥା ହୋଇଛନ୍ତି । ହେଲେ ରାଜନାଥ ଉପ ବାଚସ୍ପତି ପଦକୁ ନେଇ କିଛି ସ୍ପଷ୍ଟ କରି ନାହାନ୍ତି । ତେଣୁ ବିରୋଧୀ ଦଳ ନିଜର ପ୍ରାର୍ଥୀ ଦେବ ।