Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷମତା ଯିବା ପରେ ପ୍ରତିହିଂସା, ବବିଙ୍କ ସରକାରୀ କ୍ୱାର୍ଟର୍ସରେ ଚାଲିଛି ଭଙ୍ଗା କାମ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ହାତରୁ କ୍ଷମତା ଚାଲିଯିବା ପରେ ପ୍ରତିହିଂସା ପରାୟଣ ହୋଇ ଉଠିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ସରକାରୀ କ୍ୱାର୍ଟର୍ସରେ ବେଆଇନ ଭାବେ ନିର୍ମାଣ କରିଥିବା କୋଠାକୁ ଭାଙ୍ଗିବାରେ ଲାଗିଛନ୍ତି । ଗତ ୧୫ ଦିନ ହେବ ଏହି ଭଙ୍ଗା କାମ ଚାଲିଛି ।

କିଏ ଭାଙ୍ଗୁଛି ଓ କାହିଁକି ଭାଙ୍ଗୁଛି ସେନେଇ କିଛି ସୂଚନା ନାହିଁ। ଏହି ଘରେ ବିଳାସମୟ କୋଠରୀ ରହିଥିବା ଜଣାଯାଇଛି। ଏଠାରେ ନିଜେ ପ୍ରଣବ ପ୍ରକାଶ ଦାସ ଅଣ୍ଡରଗ୍ରାଉଣ୍ଡ ଘର ବି ତୋଳିଥିଲେ। ପ୍ରଣବ ପ୍ରକାଶ ଦାସ ସେହି ଘର ଛାଡ଼ିଛନ୍ତି। ସେହି ଘରେ ସେ କୋଟି କୋଟି ଟଙ୍କାର ଇଣ୍ଟେରିଅର୍ କାମ କରିଥିବା କୁହାଯାଉଛି। ଉକ୍ତ ଘର ଫାଟକରେ ତାଲା ପଡ଼ିଥିବା ବେଳେ ଭିତରେ ଚାଲିଛି ଘର ଭଙ୍ଗା। ଏଣେ ଏନେଇ ସରକାରୀ କଳ ବା ପ୍ରଶାସନ କାହିଁକି ଚୁପ୍ ତାକୁ ନେଇ ବି ପ୍ରଶ୍ନ ଉଠିଛି। ଘଟଣା ପ୍ରଘଟ ହେବା ପରେ ଉକ୍ତ ଘର ଆଗରେ ଲୋକଙ୍କ ଭିଡ଼ ଜମିଛି।

କେଉଁ ଉଦ୍ଦେଶ୍ୟରେ ବବିଙ୍କ ସରକାରୀ ବାସଭବନରେ ଏତେ ବଡ଼ ବିଳାସମୟ କୋଠା ନିର୍ମାଣ କରିଥିଲେ । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସରକାରୀ ଭାବେ କେତେ ଖର୍ଚ୍ଚ ହୋଇଛି ତାହା ଅସ୍ପଷ୍ଟ। କୋଟି କୋଟି ଟଙ୍କା କିଏ ଓ କେଉଁ ଉଦ୍ଦେଶ୍ୟରେ ନିର୍ମାଣ ପାଇଁ ଦେଲା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଣବ ପ୍ରକାଶ ଦାସ ମଧ୍ୟ ମାଟି କାମୁଡିଛନ୍ତି । ଭୟଭୀତ ହୋଇ ଏଭଳି କାମ କରାଉଥିବା ଚର୍ଚ୍ଚା ହେଉଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉକ୍ତ କ୍ୱାର୍ଟର ପରିସରେ ଜଣେ ସାମ୍ବାଦିକଙ୍କୁ ବି ତାଲା ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ର ୫୦୦ ମିଟର ଭିତରେ ଥିବା ଏହି ସରକାରୀ କ୍ୱାର୍ଟରକୁ ବବି କିଭଳି ଭାଙ୍ଗୁଛନ୍ତି ଓ ଦାଦାଗିରି ଦେଖାଇ ସାମ୍ବାଦିକଙ୍କୁ ବି ତାଲା ପକାଇବାକୁ ପଛାଉ ନାହାନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ବିଜେପି ସରକାର ଏହା ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ