ଭୁବନେଶ୍ୱର: ରାଜ୍ୟର କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଏହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ବର୍ତ୍ତମାନ ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କ ଜୁନ ୩୦ରେ କାର୍ଯ୍ୟକାଳ ସରିବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟର ନବ ନିର୍ବାଚିତ ବିଜେପି ସରକାରଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦେବାକୁ ପଡିବ । ଏହି ପଦ ପାଇଁ ଦୌଡରେ ଅନେକଙ୍କ ନାଁ ରହିଛି । ତେବେ ପ୍ରାଥମିକ ସୂଚନା ଅନୁସାରେ ଆଇଏଏସ ଅଫିସର ମନୋଜ ଆହୁଜା ଏହି ଦୌଡରେ ଆଗରେ ଅଛନ୍ତି । ତାଙ୍କର ମୁଖ୍ୟ ଶାସନ ସଚିବ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ପୂର୍ବର ବିଜେଡି ସରକାର ତାଙ୍କର ଅବଧିକୁ ୬ ମାସ ବଢାଇଥିଲେ, ଯାହା ଜୁନ ୩୦ରେ ସରୁଛି । ଆଉ ତାଙ୍କ ସ୍ଥାନ ମନୋଜ ଆହୁଜା ନେଇ ପାରନ୍ତି । ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଫିସର । ବର୍ତ୍ତମାନ ସେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।
ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଗତ କାଲି କ୍ୟାବିନେଟ୍ ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡିଶା ଫେରିବା ପାଇଁ ଅନୁମତି ଦେଇଛି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଓଡିଶାର ମୁଖ୍ୟ ଶାସନ ସଚିବ ହେଲେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିପାରେ । କାରଣ ଆହୁଜା ଆସନ୍ତା ଡିସେମ୍ବରରେ ଅବସର ନେବେ ।
ଆହୁଜା ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ ସରି ସାରିଛନ୍ତି । ସେ କେନ୍ଦ୍ର ସରକାରଙ୍କ ସାଧାରଣ ଅଭିଯୋଗ ଓ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏହା ସହିତ ଓଡିଶାର ଇସ୍ପାତ ଓ ଖଣି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର କମିଶନର ଏବଂ ସଚିବ ଭାବେ କାମ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟରେ ସେ ସିବିଏସଇର ଚେୟାରମ୍ୟାନ ଭାବେ ମଧ୍ୟ କାମ କରିଛନ୍ତି ।