ଭୁଶୁଡ଼ିଲା ଦିଲ୍ଲୀ ଏୟାରପୋର୍ଟ ଛାତ, ଜଣେ ମୃତ


ନୂଆଦିଲ୍ଲୀ: ଭୁଶୁଡ଼ିଲା ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ ।  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଛାତ ଭଗ୍ନାଂବଶେଷ ତଳେ କିଛି କାର୍ ଚାପି ହୋଇ ରହିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଛାତ ଭୁଶୁଡ଼ି ପଡିଥିବା କୁହାଯାଉଛି ।  

ଭୋର ପ୍ରାୟ ସାଢ଼େ ୫ଟା ସମୟରେ ବିମାନବନ୍ଦରର ଟର୍ମିନାଲ-୧ର ଛାତଟି ଭୁଶୁଡ଼ି ପଡ଼ିଥିଲା । ଛାତ ଭଗ୍ନାଂବଶେଷ  ଗୁଡ଼ିକ ଟର୍ମିନାଲ-୧ରେ ଥିବା କିଛି କାର୍‌ ଉପରେ ପଡ଼ିଥିଲା ।  ସେହି ସମୟରେ କାର୍‌ରେ ଲୋକ ମଧ୍ୟ ଥିଲେ । ଅଗ୍ନିଶମ ବିହାନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକମାନଙ୍କୁ କାର୍‌ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟରେ ୩ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଅଘଟଣ ପରେ  ଟର୍ମିନାଲ-୧କୁ ସାମୟିକ ପାଇଁ ବନ୍ଦ କରିଦିଆଯାଇଛି । ଏଥିସହ ଯାତ୍ରୀଙ୍କ ସୁରକ୍ଷା ଲାଗି ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇଛି ।

ଅଘଟଣ ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଟ୍ୱିଟ୍ କରି କହିଛନ୍ତି, ମୁଁ ନିଜେ ଏହି ଘଟଣାର ମନିଟରିଂ କରୁଛି । ଅଘଟଣ ସ୍ଥଳରେ କାମ ଚାଲିଛି । ଟର୍ମିନାଲ ୱାନରେ ଯାତ୍ରୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରାଯାଉଛି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ବର୍ଷା ସହ ପବନ ହୋଇଥିଲା । ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀରେ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଯାଇଥିଲା । ଫଳରେ ଯାତାୟତ କରିବାରେ ଅସୁବିଧା ହୋଇଥିଲା ।