ଝାରସୁଗୁଡା ୩୦/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ପଞ୍ଚାୟତ ସ୍ଥିତ ସରକାରୀ ସେବାଶ୍ରମ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ଜନ କଲ୍ୟାଣ ସ୍ବେଚ୍ଛାସେବୀ ଅନୁଷ୍ଠାନ (ଅଜକା) ର ଉଦ୍ୟମରେ ଏବଂ ଏଲଟିଆଇ ମାଇଣ୍ଡିଟ୍ରି ଫାଉଣ୍ଡେସନ ର ଆର୍ଥିକ ସହାୟତାରେ ଏକ ରିମେଡିଏଲ କୋଚିଂ ସେଣ୍ଟର ଶୁଭ ଉଦଘାଟିତ ହୋଇ ଯାଇଛି । ଏହି କାର୍ଯକ୍ରମରେ ଏଲଟିଆଇ ମାଇଣ୍ଡିଟ୍ରି ଫାଉଣ୍ଡେସନର ଅତିରିକ୍ତ ଯୁଗ୍ମ ନିର୍ଦ୍ଦେଶକ ଜିତେନ୍ଦ୍ର ଘୋଙ୍ଗେସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଘଙ୍ଗେସ ତାଙ୍କ ବକ୍ତବ୍ୟ ଛଳରେ କହିଥିଲେ ଯେ ଏଲଟିଆଇ ମାଇଣ୍ଡିଟ୍ରି ଫାଉଣ୍ଡେସନ ସହାୟତା ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକା ଦ୍ୱାରା ପରିଚାଳିତ ଏହି ରିମେଡିଏଲ କୋଚିଂ ସେଣ୍ଟର ପ୍ରଥମ କରି ଲଖନପୁର ବ୍ଲକର ୫ ଟି ଗ୍ରାମରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରା ଯାଇଛି ଏବଂ ପରବର୍ତ୍ତୀ ସମୟରେ ଲଖନପୁର ବ୍ଲକର ୯ ଟି ଗ୍ରାମ ପଞ୍ଚାୟତର ଅନ୍ୟ ୫୧ ଟି ଗ୍ରାମ ମଧ୍ୟ ସ୍ଥାପନ କରାଯିବାର ଯୋଜନା ରହିଛି । ଏହା ଦ୍ବାରା ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ପରିବାରର ଛାତ୍ରଛାତ୍ରୀମାନେ ଉନ୍ନତ ମାନର ଶିକ୍ଷାଦାନ ପାଇବା ସହିତ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମଧ୍ୟ ନିୟମିତ ଭାବେ ବିଦ୍ୟାଳୟ କୁ ଯାଇ କିପରି ସେମାନଙ୍କ ପାଠପଢା ଜାରି ରଖିବେ ଏବଂ ଅଧାରୁ ପାଠପଢା ଛାଡ଼ି ଦେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁନଃ ପାଠପଢା ପାଇଁ ପ୍ରବର୍ତ୍ତାଇବା ଆଦି ଏହାର ମୂଲଲକ୍ଷ୍ୟ ବୋଲି କହିଥିଲେ । ଏଥିପାଇଁ ପ୍ରତ୍ୟେକ କୋଚିଂ ସେଣ୍ଟର ମାନଙ୍କରେ ୩ ଜଣ ଲେଖାଏଁ ଦକ୍ଷ ଶିକ୍ଷକଙ୍କୁ ନିଯୁକ୍ତି କରା ଯାଇଛି । ସେମାନେ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ, ଗଣିତ ଓ ଇଂରାଜୀ ବିଷୟରେ ସକାଳ ୭ ଟାରୁ ୯ ଟା ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା ଶିକ୍ଷାଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକା ର ସମ୍ପାଦକ ଗୌତମ ବେହେରା ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅତାବିରା ସରକାରୀ ସେବାଶ୍ରମର ପ୍ରଧାନ ଶିକ୍ଷକ କାର୍ତ୍ତିକ ପଧାନ ପରିଚାଳନା କରିଥିବା ବେଳେ ଅଜକା ଅନୁଷ୍ଠାନ ର କର୍ମଚାରି ଗଣ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ସହଯୋଗ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।