ଭୁବନେଶ୍ୱର: ୨୭ ବର୍ଷର ଅବିଶ୍ୱସନୀୟ ସଫଳ ରାଜନୈତିକ କ୍ୟାରିୟରରେ ଥରେ ମଧ୍ୟ ପରାଜୟର ସ୍ୱାଦ ଚାଖି ନ ଥିବା ବିଜେଡି ଓ ନବୀନ ପଟ୍ଟନାୟକ କିଭଳି ନିର୍ବାଚନ ହାରିଲେ ଏହାକୁ ନେଇ ଅନେକ ବିଶ୍ଳେଷଣ ଓ ତର୍ଜମା ଚାଲିଛି । ସଂପ୍ରତି ଦିନ ମାନଙ୍କରେ ନବୀନ ନିବାସରେ ଘନ ଘନ ବୈଠକ ମଧ୍ୟ ହୋଇ ସାରିଛି । ଏହା ମଧ୍ୟରେ ଆଜି ବରିଷ୍ଠ ବିଜେଡି ନେତା ପ୍ରଦାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ ଉପସ୍ଥିତ ଅଛନ୍ତି । ଏହା ସହିତ ବିଧାୟକ ସୁଶାନ୍ତ ରାଉତଙ୍କ ସହ କିଛି କର୍ପୋରେଟର ମଧ୍ୟ ଉପସ୍ଥିତ । ବିଜେଡିରେ ଅନ୍ତଃକନ୍ଦଳ ବଢୁଥିବା ବେଳେ ବୈଠକକୁ ନେଇ ଚର୍ଚ୍ଚା ହେଉଛି । ଏପରିକି ବିଜେଡିରେ ବିଭୀଷଣ କିଏ ତାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି ।
ଦଳରେ କିଏ ବିଭୀଷଣ ହୋଇ ନିର୍ବାଚନ ହରାଇଲା, ତାକୁ ନେଇ ଚର୍ଚ୍ଚା ବଢିଛି । ଦଳରେ ନେତାଙ୍କ ମଧ୍ୟରେ ଆଲୋନଚା ଚାଲିଛି । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢିଛି । ଦଳରେ ବିଭୀଷଣ ଅଛନ୍ତି ବୋଲି ସେ କହିଛନ୍ତି । ପ୍ରତାପ ଦେବଙ୍କ ଘରେ ଚାଲିଥିବା ମିଟିଂରୁ ବାହାରିବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି । କିଛି ଦଳୀୟ ନେତା ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି । ଦଳବେ ବିଭୀଷଣ ଥିଲେ ମଧ୍ୟ ସବୁଠି ବିଜେଡି ଏକଜୁଟ ଅଛି । ସୁପ୍ରିମୋ ଏ ବିଷୟରେ ଜାଣିଛନ୍ତି । ଆଗକୁ ଏମିତି କଲେ କାର୍ଯ୍ୟାନୁଷ୍ଠାନ ନେବେ ।
ସୂଚନାଯୋଗ୍ୟ, ଲଗାତାର ୫ ଥର ନିର୍ବାଚନ ଜିତିବା ପରେ ଏଥର ନିର୍ବାଚନରେ ମାଟି କାମୁଡିଛି ବିଜେଡି । ଏପରିକି ଛାମୁ ନବୀନ ପଟ୍ଟନାୟକ ମଧ୍ୟ ବିଜେପିର ଜଣେ ସାଧାରଣ କର୍ମୀ ଲକ୍ଷ୍ମଣ ବାଗଙ୍କଠୁ କଣ୍ଟାବାଞ୍ଜିରେ ୧୬ ହଜାରରୁ ଅଧିକ ଭୋଟରେ ହାରିଛନ୍ତି । ହିଞ୍ଜିଳିରେ ମାତ୍ର ୪ ହଜାର ଭୋଟରେ ଜିତି ନବୀନ ନିଜର ସମ୍ମାନ ବଞ୍ଚାଇ ପାରିଛନ୍ତି । ଲଗାତାର ତିନି ନିର୍ବାଚନ ୨୦୦୯, ୨୦୧୪ ଓ ୨୦୧୯ରେ ୧୦୦ରୁ ଅଧିକ ସିଟ୍ ଜିତି ପ୍ରଚଣ୍ଡ ବହୁମତ ସହ କ୍ଷମତା ଉପଭୋଗ କରିଥିବା ବିଜେଡି ଏଥର ୫୧ ସିଟକୁ ଖସି କ୍ଷମତା ହରାଇବା ସହ ବିରୋଧୀ ଆସନରେ ବସିଛି । ବିଜେପି ଦମଦାର ପ୍ରଦର୍ଶନ କରି ୭୮ ସିଟ୍ ଜିତି ପ୍ରଥମ ଥର ସରକାର ଗଢିଛି ।