ଥମିବାର ନାଁ ଧରୁନି ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ଅଶୋକ ଓ ଅନନ୍ତଙ୍କ ନାଁରେ ସଙ୍ଗୀନ ଅଭିଯୋଗ


ଭୁବନେଶ୍ୱର: ଥମିବାର ନାଁ ଧରୁନି ଭୁବନେଶ୍ୱର ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ । ଆଜି ସିଧା ସିଧା ଦୁଇ ବରିଷ୍ଠ ନେତାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବିଜେଡିର ବରିଷ୍ଠ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର । ସେ ଆଜି ନାଁ ନ ନେଇ ଅଶୋକ ପଣ୍ଡା ଓ ଅନନ୍ତ ନାରାୟଣ ଜେନାଙ୍କ ଆଡକୁ ଇଙ୍ଗିତ କରିଛନ୍ତି । ଗତକାଲି ୨୨ କର୍ପୋରେଟର କାହା ନିର୍ଦ୍ଦେଶରେ ପ୍ରେସ ମିଟ୍ କରିଥିଲେ ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ସେ କହିଛନ୍ତି, ପ୍ରେସ ମିଟ୍ ପାଇଁ ଦଳର ସଭାପତି୯ କି ଜିଲ୍ଲା ସଭାପତିଙ୍କ ଅନୁମତି ନେଇ ଥିଲେ କି । ଜଣେ ହାରିଥିବା ଓ ଜିତିଥିବା ବିଧାୟକ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି । କର୍ପୋରେଟରମାନଙ୍କୁ ନେଇ ଏମାନେ ଗୋଷ୍ଠୀକନ୍ଦଳ ସୃଷ୍ଟି କରୁଛନ୍ତି । ନିଜ ପରାଜୟର ସମୀକ୍ଷା ନ କରି ଏ ଦୁହେଁ ଗୋଷ୍ଠୀ ତିଆରି କରୁଛନ୍ତି । ତେବେ ବିରଞ୍ଚିଙ୍କ ଏମିତି ଅଭିଯୋଗ ଉପରେ ଅଶୋକ ଓ ଅନନ୍ତଙ୍କ ପ୍ରତିକ୍ରିୟା ମିଳିନି ।

ବିଡେଡିର ପରାଜୟ ପରେ ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି । ଦୁଇଟି ଗୋଷ୍ଠୀରେ ବିଭକ୍ତ ହେଲେଣି ବିଜେଡି କର୍ପୋରେଟର । ଦଳରେ କିଏ ବିଭୀଷଣ ହୋଇ ନିର୍ବାଚନ ହରାଇଲା, ତାକୁ ନେଇ ଚର୍ଚ୍ଚା ବଢିଛି । ଦଳରେ ନେତାଙ୍କ ମଧ୍ୟରେ ଆଲୋନଚା ଚାଲିଛି । ଗତକାଲି ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢିଛି । ଦଳରେ ବିଭୀଷଣ ଅଛନ୍ତି ବୋଲି ସେ କହିଛନ୍ତି । ପ୍ରତାପ ଦେବଙ୍କ ଘରେ ଗତକାଲି ବୈଠକ ବସିଥିଲା । ମିଟିଂରୁ ବାହାରିବା ପରେ ସେ କହିଥିଲେ କିଛି ଦଳୀୟ ନେତା ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି । ଦଳବେ ବିଭୀଷଣ ଥିଲେ ମଧ୍ୟ ସବୁଠି ବିଜେଡି ଏକଜୁଟ ଅଛି । ସୁପ୍ରିମୋ ଏ ବିଷୟରେ ଜାଣିଛନ୍ତି । ଆଗକୁ ଏମିତି କଲେ କାର୍ଯ୍ୟାନୁଷ୍ଠାନ ନେବେ।

ସୂଚନାଯୋଗ୍ୟ, ଲଗାତାର ୫ ଥର ନିର୍ବାଚନ ଜିତିବା ପରେ ଏଥର ନିର୍ବାଚନରେ ମାଟି କାମୁଡିଛି ବିଜେଡି । ଏପରିକି ଛାମୁ ନବୀନ ପଟ୍ଟନାୟକ ମଧ୍ୟ ବିଜେପିର ଜଣେ ସାଧାରଣ କର୍ମୀ ଲକ୍ଷ୍ମଣ ବାଗଙ୍କଠୁ କଣ୍ଟାବାଞ୍ଜିରେ ୧୬ ହଜାରରୁ ଅଧିକ ଭୋଟରେ ହାରିଛନ୍ତି । ହିଞ୍ଜିଳିରେ ମାତ୍ର ୪ ହଜାର ଭୋଟରେ ଜିତି ନବୀନ ନିଜର ସମ୍ମାନ ବଞ୍ଚାଇ ପାରିଛନ୍ତି । ଲଗାତାର ତିନି ନିର୍ବାଚନ ୨୦୦୯, ୨୦୧୪ ଓ ୨୦୧୯ରେ ୧୦୦ରୁ ଅଧିକ ସିଟ୍ ଜିତି ପ୍ରଚଣ୍ଡ ବହୁମତ ସହ କ୍ଷମତା ଉପଭୋଗ କରିଥିବା ବିଜେଡି ଏଥର ୫୧ ସିଟକୁ ଖସି କ୍ଷମତା ହରାଇବା ସହ ବିରୋଧୀ ଆସନରେ ବସିଛି । ବିଜେପି ଦମଦାର ପ୍ରଦର୍ଶନ କରି ୭୮ ସିଟ୍ ଜିତି ପ୍ରଥମ ଥର ସରକାର ଗଢିଛି ।