ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ହୀରାପାଲି ଗାଁ’ ରାସ୍ତା ଟିକିଏ ବର୍ଷାରେ ଏବେ କର୍ଦ୍ଦମାକ୍ତ ହୋଇ ପଡ଼ୁଥିବା ଦେଖାଯାଉଛି । ଗତ କିଛି ମାସ ତଳେ ଏ ରାସ୍ତାରେ ମୁରୁମ୍ ବିଛା ଯାଇଥଲା । ରାସ୍ତାରେ ଅନେକ ଖାଲଢିପ ଥିବାବେଳେ ଖାଲ ସ୍ଥାନମାନଙ୍କରେ ପାଣି ଜମିରହି ରାସ୍ତା ଅଧିକ କାଦୁଅମୟ ହେଉଥିବା ଜଣାପଡ଼ିଛି । ଗତ ପ୍ରାୟ ଚାରିଦିନ ହେଲା ଅସରାକୁ ଅସରା ବର୍ଷା ହେଉଥିବାରୁ ଏହି ରାସ୍ତାରେ ଏବେ ଯାତାୟାତ କରିବା ମୁସ୍କିଲ ହୋଇପଡିଛି । ଗ୍ରାମରୁ ସ୍କୁଲ ଉଠିଯିବା ପରେ ଗ୍ରାମର ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ନିକଟସ୍ଥ ବଳିପାଲି ସ୍କୁଲକୁ ପଢ଼ିବା ପାଇଁ ଯାଇଥାନ୍ତି । ଅନେକ ସମୟରେ ଗାଡ଼ି ମଟର ଚଳାଚଳ ବେଳେ କାଦୁଅ ପାଣି ଛିଟିକି ପଡୁଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀଘ୍ର ଏହି ରାସ୍ତାର ଆବଶ୍ୟକ ମରାମତି ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି ।