ଅମରନାଥ ଯାତ୍ରା ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ !


ଭୁୁବନେଶ୍ୱର: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ସେଠାକାର ଜନତା ବିଧାନସଭା ନିର୍ବାଚନକୁ ଅପେକ୍ଷା କରି ରହିଛନ୍ତି । କେବେ ନିର୍ବାଚନ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଏହାକୁ ନେଇ ଆସିଛି ବଡ ଖବର । ଅମରନାଥ ଯାତ୍ରା ଅଗଷ୍ଟ ୧୯ ତାରିଖରେ ସରିବା ପରେ ଜମ୍ମୁ-କାଶ୍ମୀରରେ ନିର୍ବାଚନ କରାଯାଇପାରେ । ସୂତ୍ର ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ବିଜେପି ନେତାଙ୍କୁ ନିର୍ବାଚନର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଜମ୍ମୁ-କାଶ୍ମୀରର ବିଜେପିର ଅନେକ ବରିଷ୍ଠ ନେତାଙ୍କ ସହ ନିର୍ବାଚନକୁ ନେଇ ବୈଠକ କରିଛନ୍ତି । ନେତାଙ୍କୁ ଅବଗତ କରାଇ ଦିଆଯାଇଛି ଯେ, ବିଜେପି ରାଜ୍ୟର ସମସ୍ତ ୯୦ ଆସନରେ ନିର୍ବାଚନ ଲଢିବ ।

୨୦୧୯ ଅଗଷ୍ଟରେ ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ହେବା ପୂର୍ବରୁ ୨୦୧୮ରେ ଜମ୍ମୁ-କାଶ୍ମୀରରେ ବିଧାନସଭା ଭଙ୍ଗ କରାଯାଇଥିଲା । ୩୭୦ ଉଚ୍ଛେଦ ପରେ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ବିଜେପି ନେତୃବୃନ୍ଦ ରାଜ୍ୟର ନେତାଙ୍କୁ ଏହା ମଧ୍ୟ ଅବଗତ କରାଇ ଦେଇଛନ୍ତି ଯେ, ପାର୍ଟି କାହା ସହ ମେଣ୍ଟକରିବ ନାହିଁ । ଯଦି ମେଣ୍ଟ ହୁଏ ତେବେ ସମାନ ବିଚାରଧାରା ପାର୍ଟି ସହ ହୋଇପାରେ । ବିଧାନସଭା ନିର୍ବାଚନ ପୂର୍ବରୁ ଦଳ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ ନାହିଁ ।

ଆଗାମୀ ଦିନରେ ପ୍ରମୁଖ କେନ୍ଦ୍ର ମନ୍ତ୍ରୀମାନଙ୍କର ଜମ୍ମୁ-କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ପାର୍ଟି ଏକ ଜନସଂପର୍କ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ବିଜେପି ରାଜ୍ୟ ନେତୃତ୍ୱ ଓ ସଂଗଠନରେ ବର୍ତ୍ତମାନ କୌଣସି ପରିବର୍ତ୍ତନ କରିବ ନାହିଁ । ବର୍ତ୍ତମାନ ରବୀନ୍ଦ୍ର ରୈନା ଜାମ୍ମୁ-କାଶ୍ମୀର ରାଜ୍ୟ ସଭାପତି ପଦରେ ଅଛନ୍ତି ।