ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲମ୍ବା ଚଉଡା ପତ୍ର ଧରାଇ ଦେଲେ ନାଇଡୁ, ଅନେକ ମନ୍ତ୍ରୀ ଉପରେ ପକାଇଲେ ଚାପ


ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସଂପ୍ରତି ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ୨୦ ମିନିଟର ସାକ୍ଷାତ କରିଛନ୍ତି । ମିଟିଂର ସମୟ କମ ହୋଇଥିଲେ ହେଁ ଚନ୍ଦ୍ରବାବୁ ନାଇଡୁ ପିଏମ ମୋଦୀଙ୍କୁ ଲମ୍ବା ଚଉଡାର ଦାବି ପତ୍ର ଧରାଇ ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯେ, ଆନ୍ଧ୍ର ପ୍ରଦେଶ ପାଇଁ ସ୍ୱତନ୍ତ୍ର ବଜେଟ୍ ଆବଣ୍ଟିତ କରାଯାଉ । ଏହା ବ୍ୟତୀତ ଭିନ୍ନ ଭିନ୍ନ ମନ୍ତ୍ରଣାଳୟରେ ନିଜ ପ୍ରକଳ୍ପରେ ଆନ୍ଧ୍ର ପ୍ରଦେଶକୁ ପ୍ରାଥମିକତା ଦିଆଯାଉ । ଏହା ସହିତ ସେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ଭେଟିଛନ୍ତି ।

କେନ୍ଦ୍ରର ଏନଡିଏ ସରକାରରେ ବଡ ସହଯୋଗୀ ପାର୍ଟି ଟିଡିପିର ମୁଖିଆ ଚନ୍ଦ୍ରବାବୁ ନାଇଡୁ ହୃଦବୋଧ କରି ସାରିଛନ୍ତନ୍ତେ ଯେ, ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର ପାହ୍ୟା ମିଳିବ ନାହିଁ । ତେଣୁ ସେ ଏବେ ସ୍ୱତନ୍ତ୍ର ପ୍ୟାକେଜ ଦେବାକୁ ଦାବି କରିଛନ୍ତି । ସୂତ୍ର ମୁତାବକ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆନ୍ଧ୍ର ପାଇଁ ୧୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରସଙ୍ଗ ଉଠାଇଛନ୍ତି । ନାଇଡୁ କହିଛନ୍ତି, ଏମିତି ସ୍ଥିତି ପୂର୍ବର ଜଗନମୋହନ ରେଡ୍ଡୀଙ୍କ ସରକାରରେ ଥିଲା । ଜଗନଙ୍କ ଅମଳରେ ରାଜ୍ୟରେ କୌଣସି ଭିତ୍ତିଭୂମି କାମ ହୋଇ ପାରି ନାହିଁ । ନାଇଡୁ ମଧ୍ୟ ଏହା ମଧ୍ୟ ଦାବି କରିଛନ୍ତି ଯେ, ପୋଲାଭରମ ପ୍ରକଳ୍ପ ପାଇଁ ଅଟକି ଥିବା ପାଣ୍ଠିକୁ କେନ୍ଦ୍ର ସରକାର ଜାରି କରୁ ।

ଅମରାବତୀକୁ ରାଜଧାନୀ ଭାବେ ନିର୍ମାଣ କରିବାରେ କେନ୍ଦ୍ର ସରକାର ସହଯୋଗ କରିବାକୁ ସେ ଦାବି କରିଛନ୍ତି । କାରଣ ରାଜ୍ୟ ସରକାରଙ୍କ ନିକଟରେ ଏଥିପାଇଁ ଫଣ୍ଡର ଅଭାବ ରହିଛି । ଯଦି କେନ୍ଦ୍ର ସରକାର ସାହାଯ୍ୟ କରନ୍ତି ତେବେ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ । ଏହା ବ୍ୟତୀତ ରାଜ୍ୟରେ ସଡକ, ଡ୍ୟାମ, ସେତୁ, ଜଳସେଚନ ଆଦିର ପ୍ରକଳ୍ପ ପାଇଁ ମଧ୍ୟ ନାଇଡୁ ଅର୍ଥଦାବି କରିଛନ୍ତି ।