ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କାଲ ବିଜେଡି, ମୁହଁତୋଡ ଜବାବ ଦେଲେ ଆଇନ ମନ୍ତ୍ରୀ


ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲାଯିବା ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ବିଜେଡି ନୂତନ ସରକାରକୁ ଟାର୍ଗେଟ୍ କରିଥିବା ବେଳେ ଏହାର ମୁହଁତୋଡ ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଧାୟିକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଟିପ୍ପଣୀ ଜବାବ ଦେଇ ସେ କହିଛନ୍ତି, ଲଜ୍ଜାହୀନ ୨୪ ବର୍ଷର ସରକାର, ରତ୍ନଭଣ୍ଡାର ଖୋଲି ପାରିଲେନି। ଗଣତି ମଣତି କରିପାରିଲେନି। ଆଜି ତାରିଖରେ ସେମାନେ ପ୍ରଶ୍ନ କରିବେ କାହିଁକି କମିଟି ଭାଙ୍ଗିଗଲା । ଏହାଠୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ଆଉ କିଛି ହେଇନପାରେ। ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଆଇନ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଏକଥା ସ୍ପଷ୍ଟ ଯେ ସରକାର ୨୦/ ୨୫ ଦିନ ହେବ ହେଇଛି। ରତ୍ନ ଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ନୂଆ କମିଟି ଗଠନ ହୋଇଛି। ଭଣ୍ଡାର କେବେ ଖୋଲାଯିବ, ଆସନ୍ତାକାଲି କମିଟି ନିଷ୍ପତ୍ତି ନେବ। ରତ୍ନଭଣ୍ଡାର ଯଥା ସମୟରେ ଖୋଲାଯିବ ଗଣତିମଣତି କରାଯିବ। ପ୍ରତିଟି ଅର୍ଟିକିଲର ଡିଜିଟାଲ ଫଟୋ କପି କରାଯିବ। ସବୁକୁ ପ୍ରିଜର୍ଭ କରାଯିବ। ୫୦ ବର୍ଷ ପର‌୍ୟ୍ୟନ୍ତ ରେଫରାଲ୍ ଡକ୍ୟୁମେଣ୍ଟ ଭଳି ତାକୁ ବ୍ୟବହାର କରାଯିବ। ଉଦ୍ଭଟ କଥାରୁ ବିଜୁ ଜନତା ଦଳ ନିବୃତ ରହୁ।

ଏହା ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର କମିଟି ଭଙ୍ଗା ଯାଇଛି। ଅରିଜିତ ପଶାୟତଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟାଇ ଦିଆଗଲା। ସେମାନେ କେତେବେଳେ କଣ କହୁଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିଛନ୍ତି। କେତେବେଳେ ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି, ପୁଣି ମନା କରୁଛନ୍ତି। ସେମାନେ ଠିକ୍ କଥା କରିବେନି, ଠିକ୍ ବାଟରେ ଯିବେନି। ଖାଲି ଭୁଆଁ ବୁଲେଇବେ।

ଉଲ୍ଲେଖନୀୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ବିଜେପି ଏଥର ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା । ଆଉ ଏହାର ଉତ୍ତର ବିଜେଡି ଦେଇ ପାରି ନ ଥିଲା । ଏହି ପ୍ରସଙ୍ଗ ବିଜେପିକୁ ନିର୍ବାଚନରେ ବେଶ ସଫଳତା ଦେଇଛି । ଏବେ ନିଜର ପ୍ରତିଶ୍ରୁତି ପାଳନ କରିବାର ବେଳ ଆସିଛି । ଏହି ଦିଗରେ ବିଜେପି ଉଦ୍ୟମ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ୧୯୭୮ ମସିହାରେ ଅର୍ଥାତ୍ ୪୫ ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ମେ ୧୩ରୁ ଜୁଲାଇ ୨୩ ଯାଏଁ ଅଳଙ୍କାର ଗଣତିରେ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେ ଦିନରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ସମସ୍ତଙ୍କ ନଜର ।