ଭୁବନେଶ୍ୱର: ବିଜେଡି ସରକାର ଅମଲରେ ୫-ଟି ଓ ମୋ ସରକାରକୁ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚନା କରାଯାଉଥିଲା । ଆଉ ୫-ଟି ସଚିବ ଭାବେ ଭିକେ ପାଣ୍ଡିଆନ ପୁରା ଶାସନ ତନ୍ତ୍ରକୁ ନିଜ ହାତ ମୁଠାରେ ରଖିଥିଲେ । ଫଳରେ ମୁଖ୍ୟ ଶାସନ ସଚିବ ଓ ଡିଜିପି ପରି ଗୁରୁତ୍ୱପୂର୍ଣ୍ଣ ପଦର ମହତ୍ୱ କମି ଯାଇଥିଲା । ମନ୍ତ୍ରୀ ଓ ବିଧାୟକମାନେ ଏହି ୫-ଟିର ସିଷ୍ଟମ ଆଗରେ ଅସହାୟ ନଜର ଆସିଥିଲେ । ବିଜେପି ଏହାକୁ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା । ୫-ଟିକୁ ଏକ ଅସାମ୍ବିଧାନିକ ବ୍ୟବସ୍ଥା କହି ଜୋରଦାର ବିରୋଧ କରୁଥିଲା । ୫-ଟି ଅଧୀନରେ ହୋଇଥିବା କାମ ବେଆଇନ ବୋଲି କହୁଥିଲା। କିନ୍ତୁ ବିଜେପି ସରକାର ଗଠନ ହେବାର ତିନି ସପ୍ତାହ ପରେ ବି ସାରା ରାଜ୍ୟରେ ୫-ଟି ଲୋଗୋ ସେମିତି ଝଟକୁଛି। ସରକାରୀ କାର୍ୟ୍ୟାଳୟରୁ ଆରମ୍ଭ କରି କାନ୍ଥବାଡ଼, ହୋର୍ଡିଂ ପର୍ୟ୍ୟନ୍ତ ସବୁଠି ୫-ଟି ଲୋଗୋ ରହିଛି। ଏବେବି ବହୁ ହୋର୍ଡିଂରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳୁଛି।
ବଡ କଥା ହେଲା, ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାର ନାମ ବଦଳାଇ ମୋହନ ସରକାର ‘ମୁଖ୍ୟମନ୍ତ୍ରୀ ବସ୍ ଯୋଜନା’ କରିବାକୁ ଘୋଷଣା କରିଛନ୍ତି। ଏହି ବସ୍ରେ ଲାଗିଥିବା ସବୁଜ/ନୀଳ ରଙ୍ଗର ଷ୍ଟିକର ଉପରେ ଗେରୁଆ ରଙ୍ଗ ମରା ହେଉଛି। ଏପରି ପରିସ୍ଥିତିରେ ୫-ଟି ଲୋଗୋ ହଟାଇବାକୁ କେବେ ପଦକ୍ଷେପ ନିଆଯିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ଏପଟେ ରାଜ୍ୟରେ ସରକାର ବଦଳିବା ପରେ ଏବେ ବିଭିନ୍ନ ବିଭାଗକୁ ୫-ଟି ଓ ମୋ ସରକାର ଲେଖା ହଟାଇବା ଚିନ୍ତା ଘାରିଛି। କେବଳ ୫-ଟି ଲୋଗୋ ମାରିବାକୁ ବିଜେଡି ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏବେ ଏହାକୁ ହଟାଇବାକୁ ବିଜେପି ସରକାର ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ ବୋଲି ଆକଳନ କରାଯାଉଛି। ଏଣୁ ଏହି ଲୋଗୋ ହଟାଇବା ନିଷ୍ପତ୍ତି ଉପରେ ମୋହର ଲାଗିପାରୁନାହିଁ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାରରେ ସବୁ ବିଭାଗକୁ ୫-ଟି ଅଧୀନରେ ସାମିଲ୍ କରାଯିବା ସହ ସମସ୍ତ ସରକାରୀ ହୋର୍ଡିଂରୁ ଆରମ୍ଭ କରି ସ୍କୁଲ, ହସ୍ପିଟାଲ, ସରକାରୀ କାର୍ୟ୍ୟାଳୟରେ ୫-ଟି ଲେଖା ଚାଲିଲା। ଫାଇଲ୍ରେ ବି ରାଜ୍ୟ ସରକାରଙ୍କ ଲୋଗୋ ସହ ୫-ଟି ଲୋଗୋ ରହିଥିଲା। ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବିଜେପିର ଅଭିଯୋଗ ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସମସ୍ତ ସରକାରୀ ୱେବସାଇଟ୍ରୁ ୫-ଟି ଲୋଗୋ ହଟାଇ ଦେଇଥିଲେ। ହେଲେ ସରକାରୀ ହୋର୍ଡିଂ, ସରକାରୀ କାର୍ୟ୍ୟାଳୟ କାନ୍ଥ, ସ୍କୁଲ, କଲେଜ ସବୁଠି ଏବେବି ୫-ଟି ଲୋଗୋ ଅଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁଠୁ ଅଧିକ ପ୍ରଚାର କରିଥିଲା। ଆଶ୍ଚର୍ୟ୍ୟର ବିଷୟ ୫-ଟି ଲୋଗୋ ଲଗାଇବା ପାଇଁ ନିର୍ବାଚନର ଦୁଇ ମାସ ପୂର୍ବରୁ ରାଜ୍ୟର ସହରାଞ୍ଚଳରେ ଥିବା ପ୍ରାୟ ୨୧୦୦ ୱାର୍ଡରେ ନୂଆ ହୋର୍ଡିଂ ଲାଗିଥିଲା। ଏଥିରେ ମୋ ପୋଖରୀ, ଜାଗା ମିସନ୍, ମୁକ୍ତା ଯୋଜନା ପାଇଁ ପ୍ରାୟ ୨୦ହଜାର ହୋର୍ଡିଂ ଲାଗିଥିଲା। କେଉଁ ୱାର୍ଡରେ ୫ଟା ତ କେଉଁଠି ୨୦ଟା। ବଡ଼ ସହରରେ ତ ଗୋଟିଏ ଲେଖାଏ ୱାର୍ଡରେ ୨୫ରୁ ୩୦ଟା ଲେଖାଏ ହୋର୍ଡିଂ ଲାଗିଥିଲା। ଏଥିପାଇଁ ନଗର ଉନ୍ନୟନ ବିଭାଗ ୩୫ହଜାର ଟଙ୍କା ଧାର୍ୟ୍ୟ କରିଥିଲା। ଅର୍ଥାତ୍ ୨୦ହଜାର ହୋର୍ଡିଂ ପାଇଁ ପ୍ରାୟ ୭୦କୋଟି ଖର୍ଚ୍ଚ କରିଥିଲା।
ଏହି ହୋର୍ଡିଂ ଷ୍ଟିକର ବଦଳାଇଲେ(୫-ଟି ହଟିବ, ନୂଆ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବ) ପ୍ରାୟ ୪ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି। ଏଥିପାଇଁ ପ୍ରାୟ ୮କୋଟି ଖର୍ଚ୍ଚ ହେବ। ସେହିପରି ୱାଟ୍କୋ ପକ୍ଷରୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ର ପ୍ରଚାର ପ୍ରସାର ପାଇଁ ନିର୍ବାଚନ ପୂର୍ବରୁ ୫-ଟି ଲୋଗୋ ଥାଇ ପ୍ରାୟ ୧୦ହଜାର ହୋର୍ଡିଂ ଲାଗିଥିଲା। ଏହାର ଷ୍ଟିକର ବଦଳାଇଲେ ଏବେ ୪ କୋଟି ଖର୍ଚ୍ଚ ହେବ। ବିଭିନ୍ନ ଅଫିସରେ ଲାଗିଥିବା ୫-ଟି ଓ ମୋ ସରକାର ଗୃହରୁ ଷ୍ଟିକର ହଟାଇବା, ରଙ୍ଗରେ ଲେଖା ହୋଇଥିବା ୫-ଟି ଲିଭାଇ ନୂଆ ରଙ୍ଗ ମାରିବାରେ ପ୍ରାୟ ଦୁଇରୁ ତିନି କୋଟି ଟଙ୍କା ଖର୍ଚ୍ଚ ହେବ। ଏହିପରି ନଗର ଉନ୍ନୟନ ବିଭାଗ କେବଳ ପ୍ରାୟ ୧୫କୋଟି ଟଙ୍କା ଖର୍ଚ୍ଚ କରିବ।