ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା । ସାରା ଦେଶରୁ ଜଗା ଭକ୍ତ ଏବେ ପୁରୀ ମୁହାଁ । ଭକ୍ତଙ୍କ ଗହଳିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ରାଜ୍ୟ ତଥା ରାଜ୍ୟ ବାହାରୁ ଓ ବିଦେଶୀ ପର୍ଯ୍ୟଟକ ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀରେ ପହଞ୍ଚୁଛନ୍ତି । ଏମିତି ସ୍ଥିତିରେ ଶ୍ରୀକ୍ଷେତ୍ରଙ୍କୁ ଆସୁଥିବା ଅତିଥୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାରେ ଲାଗିଛନ୍ତି ପୁରୀବାସୀ । ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରୁ କୌଣସି ଭକ୍ତ ଯେମିତି ଭୋକିଲା ଫେରିବେନି, ସେଥିପାଇଁ ବିଭିନ୍ନ ଅନୁଷ୍ଠାନ ଓ ସ୍ଥାନୀୟ ଲୋକେ ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ସ୍ଥାନରେ ଭକ୍ତଙ୍କ ପାଇଁ ରନ୍ଧା ହେଉଛି ବାଡ଼ିଆ ଡାଲମା ଓ ଅରୁଆ ଅନ୍ନ ।
ପୁରୀର ଲୋକପ୍ରିୟ ଖାଦ୍ୟ କହିଲେ ମନକୁ ବାଡିଆ ଡାଲମା କଥା ଚାଲିଆସେ । ଆଉ ଏହି ରଥଯାତ୍ରା ଭିଡରେ ମହମହ ବାସିଲାଣି ବାଡିଆ ଡାଲମା । ଭକ୍ତଙ୍କ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେଇଛନ୍ତି ପୁରୀବାସୀ । ପିଇବା ପାଣି ସହ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ।
ଯେମିତି କେହି ବି ଭକ୍ତ ପୁରୀରୁ ଉପବାସରେ ନ ଫେରନ୍ତି ବିଭିନ୍ନ ସ୍ଥାନରେ ବସିଛି ହଣ୍ଡାହାଣ୍ଡି । ହଣ୍ଡା ବସାଇ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ସଙ୍ଗଠନ ଓ ପୁରୀ ବାସିନ୍ଦା । ସକାଳର ଜଳଖିଆଠୁ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ସବୁକିଛି ସେମାନେ ପ୍ରସ୍ତୁତ କରୁଛନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଉଛି ଖାଦ୍ୟ ।