ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ପବିତ୍ର ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ନେତ୍ରୋତ୍ସବ , ନବଯୈବନ ଦର୍ଶନ , ଘୋଷଯାତ୍ରା ର ସମସ୍ତ ନୀତିକାନ୍ତି ଗୋଟିଏ ଦିନରେ ହେବ ତେଣୁ ରଥଯାତ୍ରା ଗୋଟିଏ ଦିନ ବଦଳରେ ଦୁଇଦିନ ହେବ । ପ୍ରଥମ ଦିନରେ ରଥଟଣା ହୋଇ ମହାପ୍ରଭୁ ରଥରେ ରହିଲେ , ଦ୍ୱିତୀୟ ଦିନ ଅପରାହ୍ନରେ ପହଣ୍ଡି ହୋଇ ଆଡପମଣ୍ଡପରେ ରହିବେ । ଆଜି ପୂର୍ବାହ୍ନ ୧୧ଟାରେ ପହଣ୍ଡି , ୧ଟାରେ ଛେରାପହଁରା ନୀତି , ଅପରାହ୍ନ ୨ ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ରବିବାର ଭୋର୍ ସକାଳୁ ଦ୍ଵାରଫିଟା , ଦ୍ଵାରପାଳ ପୂଜା, ମଙ୍ଗଳ ଆଳତୀ , ଖେଚୁଡି ଭୋଗ , ମହାପ୍ରଭୁଙ୍କ ବେଶ , ରଥ ପ୍ରତିଷ୍ଠା ପରେ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ଛଳିଆ ପାହାଡ଼ ଶିଖରରୁ ମହାପ୍ରଭୁଙ୍କୁ ଧାଡ଼ି ପହଣ୍ଡି ରେ ଆଣି ରଥାରୂଢ଼ କରାଯାଇଥିଲା । ସେବାୟତମାନେ ଗୀତ ଗାଇ ମହାପ୍ରଭୁଙ୍କୁ ଆଣିଥିଲେ । ଗାଁ ର ଗଡତ୍ୟା ଚମରା ଅମାତ ଛେରାପହଁରା ନୀତି କରିଥିବା ବେଳେ ବକ୍ତା ରାଜମଣି ସାହୁ ଧାରା ବିବରଣୀ , ପଣ୍ଡିତ ହରିଶ୍ଚନ୍ଦ୍ର ହୋତା , ଜ୍ୟୋତିର୍ବିଦ ପଣ୍ଡିତ ମେଡେନ କୁମାର ବିଶି , କବି ଦ୍ଵିତିକୃଷ୍ଣ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜକ ଭାବରେ ଦେବାର୍ଚ୍ଚନ ଦାଶ , ଗୁଣାକର ପଣ୍ଡା , ବିଶେଶ୍ଵର ପାଢୀ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ। ପାତାଳୀ କ୍ଷେତ୍ରରେ ଏକ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ସଂଖ୍ୟାରେ ଭକ୍ତ ତଥା ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।