ଆଜି ଦ୍ବିତୀୟ ଶ୍ରୀକ୍ଷେତ୍ର ଓ ତୁଳସୀ କ୍ଷେତ୍ରରେ ରଥଟଣା


ବାରିପଦା: ପୁରୀ ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ଗତକାଲି ବିଶ୍ବ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ହୋଇଯାଇଛି । ତେବେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ରେ ଆଜି ଗଡ଼ିବ ରଥ ।

ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚା ଯାତ୍ରା ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ତିନି ଠାକୁରଙ୍କ ପହଣ୍ଡି କରା ଯାଇଥାଏ । ପୁରୀ ରଥ ଯାତ୍ରାର ପର ଦୁଇ ଦିନ ଧରି ବାରିପଦାରେ ରଥ ଟଣାଯାଇଥାଏ । ତେଣୁ ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିବା ବେଳେ ଆଜି ହେବ ରଥଟଣା । ଆଜି ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମାଆ ମନ୍ଦିର ଯାଏଁ ଟାଣି ନେବେ । ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟାଣି ନେବେ । ମଙ୍ଗଳବାର ଦିନ ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ । ପରେ ଜଗନ୍ନାଥଙ୍କ ରଥ ଟଣା ଯିବ । ବାରିପଦାରେ ପୁରୀ ରଥ ଯାତ୍ରାର ପର ଦୁଇ ଦିନ ଧରି ରଥ ଟଣା ହେଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଥାଆନ୍ତି ।

ଗତକାଲି ନୀତି ନିର୍ଘଣ୍ଟ ଅନୁସାରେ ମହାରାଜାଙ୍କ ଛେରାପହଁରା ସେବା ପରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରାଯାଇ ରଥ ଉପରକୁ ଅଣା ଯାଇଥିଲା । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରର ଗୁଣ୍ଡିଚା ଯାତ୍ରା ଦିନ ବାରିପଦାରେ ତିନି ଠାକୁରଙ୍କ ପହଣ୍ଡି କରାଯାଇଥାଏ । ହେଲେ ତା’ପରଦିନ ରଥ ଟଣାଯାଇଥାଏ । ରଥଯାତ୍ରା ପାଇଁ ବାରିପଦା ବଡ଼ଦାଣ୍ଡ ଉତ୍ସବ ମୁଖର ହୋଇ ଉଠିଛି ।

ସେହିପରି ଆଜି ଟଣାଯିବ କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ତାଳଧ୍ୱଜ ରଥ । ଗତକାଲି ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁଙ୍କ ରଥ ଗଡ଼ି ପାରି ନଥିଲା । ଗତକାଲି ତୁଳସୀ କ୍ଷେତ୍ରରେ ବଳଦେବଜୀଉଙ୍କ ପହଣ୍ଡି ସଂପନ୍ନ ହୋଇସାରିଛି । ପହଣ୍ଡି ବେଳେ ଘଣ୍ଟ ଘଣ୍ଟା, କୀର୍ତ୍ତନ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ।