ବିଜେଡିର ଗଲାନି ପାଣ୍ଡିଆନ ପ୍ରେମ ! ସଂତୃପ୍ତ ମିଶ୍ରଙ୍କୁ ନବୀନଙ୍କ ରାଜନୈତିକ ସଚିବ ନିଯୁକ୍ତ ପରେ ଚର୍ଚ୍ଚା ଜୋର


ଭୁବନେଶ୍ୱର: ରଥଯାତ୍ରା ଦିନ ବିଜୁ ଜନତା ଦଳରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ସମସ୍ତ ପଦାଧିକାରୀ କମିଟି ଭଙ୍ଗା ଯାଇ କିଛି ନୂତନ କମିଟି ଗଠନ କରାଯାଇଛି ଏବଂ ଆଉ କିଛି ବାକି ରହିଛି । ଏଥିରେ ରାଜ୍ୟସ୍ତରୀୟ ସମସ୍ତ ଦଳୀୟ ପଦାଧିକାରୀଙ୍କୁ ହଟାଇ ଦିଆଯାଇଛି। ହେଲେ ଜିଲାସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ ରହିଛନ୍ତି। ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି। ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ କରିଥିବା ପ୍ରକାଶ ପାଇଛି। ଆଉ ସବୁଠୁ ବଡ କଥା ଏବେ ମଧ୍ୟ ବିଜେଡି ଭିକେ ପାଣ୍ଡିଆନ ପ୍ରେମରୁ ମୁକୁଳି ପାରି ନ ଥିବା ଏହି ସବୁ ନିଯୁକ୍ତିରୁ ବାରି ହୋଇ ପଡୁଛି ।

ବିଜ୍ଞପ୍ତି ଅନୁଯାୟୀ, ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନସଂପର୍କ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ୫ ଜଣଙ୍କୁ ଦଳ ଜାତୀୟ ମୁଖପାତ୍ର ଭାବେ ଦଳ ଘୋଷଣା କରିଛି । ଏଥିରେ ଡ. ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇବେ । ୧୪ ଜଣଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର ଭାବେ ଦଳ ଦାୟିତ୍ବ ପ୍ରଦାନ କରିଛି ଦଳ। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ,ଡ. ଅରୁଣ କୁମାର ସାହୁ, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଓ ଡ. ଲେନିନ ମହାନ୍ତି। ସେହିପରି ବରିଷ୍ଠ ନେତା ପ୍ରତାପ ଜେନା ବରିଷ୍ଠ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଭାବେ ନିଯୁକ୍ତ ହୋଇଥିବାବେଳେ ସ୍ବୟଂ ପ୍ରକାଶ ମହାପାତ୍ର ସୋସିଆଲ ମିଡିଆ କୋର୍ଡିନେଟର ଭାବେ ନିଯୁକ୍ତ ହୋଇଛନ୍ତି । ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦଳ ନିଯୁକ୍ତ କରିଛି ଦଳ ।

ରାଜନୈତିକ ସମୀକ୍ଷକଙ୍କୁ ବଡ ଆଶ୍ଚର୍ଯ୍ୟ କରିଛି ସଂତୃପ୍ତ ମିଶ୍ରଙ୍କୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି କରିବା । ସଂତୃପ୍ତ ଜଣେ ସଫଳ ଉଦ୍ୟୋଗୀ ଏବଂ ପରିଚାଳନାରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ଘରୋଇ କମ୍ପାନୀରେ ବଡ ବଡ ପଦବୀରେ କାମ କରିଛନ୍ତି । କିନ୍ତୁ ରାଜନୀତିରେ ସେ ସଂପୂର୍ଣ୍ଣ ନବାଗତ । ଅଭିଜ୍ଞତା ନାହିଁ କହିଲେ ଚଳେ । ଯେଉଁ ସମୟରେ ବିଜେଡି ପ୍ରଥମ ଥର ପରାଜୟର ସ୍ୱାଦ ଚାଖି ଧରାଶାୟୀ ହୋଇ ମାଟି କାମୁଡିଛି ସେହି ସମୟରେ ସଂତୃପ୍ତଙ୍କୁ ନବୀନଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି କରିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏଠି ପ୍ରଶ୍ନ ଉଠୁଛି ସଂତୃପ୍ତ ବିଜେଡିକୁ କେତେ ଜାଣିଛନ୍ତି । ଏହି ୨୭ ବର୍ଷ ପୁରୁଣା ଦଳର ରାଜନୀତି, ନବୀନଙ୍କ ଆଭିମୁଖ୍ୟ ଏବଂ ରଣନୀତି ବିଷୟରେ ସଂତୃପ୍ତ କେତେ ଅଭିଜ୍ଞ ତାକୁ ନେଇ ସାଧାରଣରେ ମଧ୍ୟ ଚର୍ଚ୍ଚା ।

ଏଠି ସଂତୃପ୍ତଙ୍କ ସାମର୍ଥ୍ୟ ଓ ଦକ୍ଷତା ଉପରେ ପ୍ରଶ୍ନ ଉଠା ଯାଉନି । କାରଣ ବିଜେଡିରେ ଅନେକ ଅଭିଜ୍ଞ ଏବଂ ଓଡିଶା ରାଜନୀତିକୁ ଭଲ ଭାବେ ବୁଝିଥିବା ରାଜନୈତିକ ବ୍ୟକ୍ତିତ୍ୱ ଅଛନ୍ତି, ଯାହାଙ୍କୁ ନବୀନଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦିଆଯାଇପାରିଥାନ୍ତା । କିନ୍ତୁ ସଂତୃପ୍ତଙ୍କୁ ଏହି ଦାୟିତ୍ୱ ଦେବା କୌଣସି ନା କୌଣସି ବିଜେଡି ଏବେ ମଧ୍ୟ ଭିକେ ପାଣ୍ଡିଆନଙ୍କ ପ୍ରଭାବରୁ ମୁକୁଳି ପାରିନାହିଁ । ଏ ହେଉଛନ୍ତି ସେହି ସଂତୃପ୍ତ ମିଶ୍ର ଯାହାଙ୍କୁ ରାଜନୀତିକୁ ଆଣି କଟକ ପରି ଐତିହାସିକ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରାଇବାରେ ଭିକେ ପାଣ୍ଡିଆନଙ୍କ ବଡ ଭୂମିକା ରହିଥିଲା । କିନ୍ତୁ ନବୀନ ନିଜର ରାଜନୀତିକ ସଚିବ ଭାବେ ସନ୍ତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦେଇ ପାଣ୍ଡିଆନଙ୍କ ହାତରେ ବିଜେଡିର ଲଗାମ ରଖିବାକୁ ସୁଯୋଗ ସୃଷ୍ଟି କରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ଭିକେ ପାଣ୍ଡିଆନ ନିଜର ପ୍ରତିଶ୍ରୁତି ରଖି ବିଜେଡି ନିର୍ବାଚନ ହାରିବା ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କିନ୍ତୁ ଏବେ ବି ସେ ପରଦା ପଛରେ ରହି ବିଜେଡିରେ ନିଜର ପତିଆରା ଏବଂ ପ୍ରଭାବ ରଖିଥିବା କୁହାଯାଉଛି । ସେ ଓଡିଶାରେ ଥାଆନ୍ତୁ କି ଦିଲ୍ଲୀ ଅବା ତାମିଲନାଡୁ ତାଙ୍କ ଇଙ୍ଗିତରେ ଏବେ ବି ବିଜେଡି କାମ କରୁଥିବା ବିଜେଡିର ନୂତନ କମିଟି ଗଠନରୁ ବାରି ହୋଇ ପଡୁଛି । କାରଣ ଖୋଦ୍ ନବୀନ ପଟ୍ଟନାୟକ ମଧ୍ୟ ଦଳ ପରାଜୟ ପାଇଁ ଭିକେ ପାଣ୍ଡିଆନଙ୍କୁ ଆଦୌ ଦାୟୀ କରି ନାହାନ୍ତି । ଓଲଟା ତାଙ୍କୁ ସେ ପ୍ରଶଂସା କରି କ୍ଲିନଚିଟ୍ ଦେଇଛନ୍ତି । ଏ ହେଉଛନ୍ତି ସେହି ପାଣ୍ଡିଆନ ଯିଏ ନିର୍ବାଚନରେ ବିଜେଡିର ସମସ୍ତ ବରିଷ୍ଠ ନେତାଙ୍କୁ ଅଣଦେଖା କରି ନିଜେ ସର୍ବେସର୍ବା ହୋଇ ପ୍ରଚାର ମଙ୍ଗ ସମ୍ଭାଳିଥିଲେ ଏବଂ ଆଗରେ ରହି ନିଜକୁ ପ୍ରୋଜେକ୍ଟ କରୁଥିଲେ । ଆଉ ପାଣ୍ଡିଆନଙ୍କୁ ଢାଲ କରି ବିଜେପି ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ୫ ଥର ଲଗାତାର ଜିତିଥିବା ବିଜେଡିକୁ ଧରାଶାୟୀ କରିଛି । କିନ୍ତୁ ଏବେ ବି ବିଜେଡି ସେହି ପାଣ୍ଡିଆନ ସ୍ମୃତି ଗାନ କରୁଥିବାର ଝଲକ ଦେଖିବାକୁ ମିଳୁଛି ।