ନୂଆଦିଲ୍ଲୀ: ଭାରତରେ ସାମ୍ବାଦିକ ଓ ସାମ୍ବାଦିକତାଙ୍କ ସ୍ଥିତି କେମିତି ଏବଂ ସ୍ୱାଧୀନତା କେମିତି ରହିଛି, ତାହା ସଭିଙ୍କୁ ଜଣା । ସେଥିପାଇଁ ପ୍ରେସ ଫ୍ରିଡମ ଇଣ୍ଡେକ୍ସରେ ଭାରତର ମାନ୍ୟତା ଖସିବାରେ ଲାଗିଛି । ଏଠାରେ ସାମ୍ବାଦିକଙ୍କ ବିରୋଧରେ କେବେ ଖବର ପ୍ରକାଶ ପାଇବା ପୂର୍ବରୁ ତ ଆଉ କେତେବେଳେ ଖବର ପ୍ରକାଶ ପାଇବା ପରେ ମାମଲା ରୁଜୁ କରି ଜେଲ୍ ପଠାଇ ଦିଆଯାଉଛି । ଏହିପରି ଅନେକ ସାମ୍ବାଦିକଙ୍କୁ ବିନା ଦୋଷ ଏବଂ ଅପରାଧରେ ଜେଲ ହାଜତରେ ରହିବାକୁ ପଡିଛି ।
ସଦ୍ୟତମ ଘଟଣା ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଘଟିଛି । ଏଠାରେ ଘଟିଥିବା ମବ ଲିଚିଂକୁ ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ମାମଲାରେ ଉତ୍ତର ପ୍ରଦେଶ ପୋଲିସ ଦୁଇ ଜଣ ସାମ୍ବାଦିକ ଓ ଅନ୍ୟ ତିନି ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ବଡ କଥା ଭାରତୀୟ ନ୍ୟାୟ ସହିଂତା ଆସିବା ପରେ ସାମ୍ବାଦିକଙ୍କ ବିରୋଧରେ ଏହା ପ୍ରଥମ ମାମଲା ରୁଜୁ କରାଯାଇଛି ।
ଏହି ଏଫଆଇଆର ଉପ ନୀରିକ୍ଷକ ମନେନ୍ଦ୍ର କୁମାରଙ୍କ ଅଭିଯୋଗ ଆଧାରରେ ରୁଜୁ କରାଯାଇଛି । ଏଫଆଇଆର ମୁତାବକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜୁଲାଇ ୫ ତାରିଖରେ ଫିରୋଜ କୁରେସି ନାମକ ଜଣେ ଯୁବକଙ୍କ ମୃତ୍ୟୁ ସଂପର୍କରେ ୱାସିମ ଆକରମ ତ୍ୟାଗୀ, ଜାକିର ଅଲୀ ତ୍ୟାଗୀ, ଆସିଫ ରାଣା, ସୈଫ ଆହ୍ଲାବାଦ ଓ ଅହମ୍ମଦ ରାଜା ଖାନ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।ଏକ୍ସ ଆକାଉଣ୍ଟରେ ପୋଷ୍ଟ ଏବଂ ରିପୋଷ୍ଟ କରି ମୁସଲିମ ଯୁବକଙ୍କ ମୃତ୍ୟୁର ଖବରକୁ ମବ ଲିଚିଂର ଆଖ୍ୟା ଦେଇଥିଲେ ।
ଏହି ପାଞ୍ଚ ଜଣଙ୍କ ଉପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୬/୩୫୩ ଆଧାରରେ ମାମଲା ରୁଜୁ କରାଯାଇଛି । ୱାସିମ ଗତ ୧୦ ବର୍ଷ ହେବ ସାମ୍ବାଦିକତା କରୁଛନ୍ତି । ବର୍ତ୍ତମାନ ସେ ହିନ୍ଦ ନ୍ୟୁୁଜ ନାମରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଲାଉଛନ୍ତି । ସେ କହିଛନ୍ତି, ଏହା ଫ୍ରିଡମ ଅଫ ପ୍ରେସ ପାଇଁ ନୁହେଁ ବରଂ ମାନବାଧିକାର ପାଇଁ ବଡ ଆହ୍ୱାନ । ଜଣେ ସାମ୍ବାଦିକ ହୋଇଥିବାରୁ ଆମର କାମ ଘଟଣା ବିଷୟରେ ଖବର ଦେବା ଏବଂ ପ୍ରଶାସନକୁ ଉଜାଗର କରାଇ ପ୍ରଶ୍ନ କରିବା । ଯଦି ସାମ୍ବାଦିକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ ତେବେ କିଏ ଖବର ଲେଖିବ ?