ଭୁବନେଶ୍ବର: ରତ୍ନଭଣ୍ଡାରକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ ନୂଆ କମିଟିକୁ ସେ ସ୍ବାଗତ କରିଛନ୍ତି । ହେଲେ ପୁରୁଣା କମିଟିକୁ ଯେଭଳି ଭାଙ୍ଗି ଦିଆଗଲା ତାହା ଠିକ୍ ହେଲାନି ବୋଲି କହିଛନ୍ତି ।
ପୂର୍ବ ଯାଞ୍ଚ କମିଟି ଅଧ୍ଯକ୍ଷ ଜଷ୍ଟିସ ପଶାୟତ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଲୋକ। ତାଙ୍କୁ ଅପମାନଜନକ ଭାବେ ବିଦା କରାଯାଇଛି ବୋଲି ସେ କହିଛନ୍ତି । ନୂଆ କମିଟି ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି । ମନ୍ଦିର ପରିଚାଳନା କମିଟି ତୁରନ୍ତ ରତ୍ନଭଣ୍ଡାର ଷ୍ଟାଟସ ରିପୋର୍ଟ ରତ୍ନଭଣ୍ଡାର କମିଟିକୁ ହସ୍ତାନ୍ତର କରୁ ବୋଲି ସେ ଦାବି କରିଛନ୍ତି ।
ଆଗକୁ ସେ କହିଛନ୍ତି, ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ତାହା କମିଟି ନିକଟରେ ରହିଛି । ଏହାପରେ ୧୯୮୨ ଓ ୧୯୮୫ ମସିହାରେ ଆବଶ୍ୟକତା ଦୃଷ୍ଟିରୁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । କିଛି ଅଳଙ୍କାର ଓ ରୂପା ସେଥିରୁ ବାହାର କରାଯାଇଛି । ସେ ଷ୍ଟାଟସ୍ ରିପୋର୍ଟ ପରିଚାଳନା କମିଟି ନିକଟରେ ରହିଛି । ସେ ରିପୋର୍ଟ ରତ୍ନଭଣ୍ଡାର କମିଟିକୁ ହସ୍ତାନ୍ତର ହେବା ଦରକାର ।
ଏହା ବ୍ୟତୀତ ଯେତେ ଦିନ ଏଏସଆଇ କାମ କରିବ ସେତିକି ଦିନ ପାଇଁ ଅସ୍ଥାୟୀ ଭଣ୍ଡାର ନିର୍ମାଣ ହେଉ । ଏଥିପାଇଁ ସେ ବିମଳା ମନ୍ଦିର ପଛ ପଟ କିମ୍ବା ମନ୍ଦିର ଭିତର ସାକ୍ଷୀ ଗୋପାଳ ମନ୍ଦିର ପାଖ ସ୍ଥାନକୁ ବାଛିବାକୁ ସେ ପରାମର୍ଶ ଦେଇଛନ୍ତି । ସ୍ଥାନ ଚିହ୍ନଟ କରି କଡ଼ା ସୁରକ୍ଷାର ସହ ରତ୍ନ ସବୁକୁ ରଖାଯାଇପାରିବ । ଏସବୁ ଦିଗ ଉପରେ କମିଟି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।