୩ ରାଉଣ୍ଡ ଗୁଳି ଫୁଟାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୧୨ ଲକ୍ଷ ଲୁଟ


ବାଲେଶ୍ବର: ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିଲେ ପେଟ୍ରୋଲ ପମ୍ପର ଦୁଇ କର୍ମଚାରୀ । ବ୍ୟାଙ୍କ ପାଖରେ ପହଞ୍ଚି ଯାଇଥିଲେ । ଏହି ସମୟରେ ହଠାତ ଫୁଟିଲା ୩ ରାଉଣ୍ଡ ଗୁଳି । ଆଉ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପାଖରୁ ୧୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ବଜାରରେ ।
ମିଳିଥିବା ସୂଚନା ଅନୁସାରେ, କୁପାରୀ ବଜାରରେ ଥିବା କୃପେଶ୍ୱର ପେଟ୍ରୋଲ୍‌ ପମ୍ପର ଦୁଇ କର୍ମଚାରୀ ଅଜୟ ମହାପାତ୍ର ଏବଂ ବିଷ୍ଣୁପଦ ମହାପାତ୍ର ୧୨ ଲକ୍ଷ ଟଙ୍କା ଧରି ବାଇକରେ ବର୍ତ୍ତନାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ ଶାଖାକୁ ଯାଉଥିଲେ । ସେମାନେ ବ୍ୟାଙ୍କ ମୁଖ୍ୟ ଫାଟକ ପାଖରେ ପହଞ୍ଚିବା ପରେ ୩ଟି ବାଇକ୍‌ରେ ୬ ଜଣ ଯୁବକ ଆସି ବନ୍ଧୁକ ଦେଖାଇ ଲକ୍ଷ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ । ହେଲେ ସେମାନେ ଏଥିରେ ସଫଲ ହୋଇ ନଥିଲେ । ପରେ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାୟାରିଂ କରିଥିଲେ । ଗୋଟିଏ ଗୁଳି ଜଣେ ବ୍ୟକ୍ତିଙ୍କ ଗୋଡରେ ବାଜିଥିଲା । ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି ।
ଦୁର୍ବୃତ୍ତମାନେ ଫାୟାରିଂ କରି ୧୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ତନାଘନା ଆରମ୍ଭ କରିଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ୍‌ ଉଦ୍ୟମ ଚଲାଇଛି ।