ବାଲେଶ୍ବର: ବାଲିଆପାଳ ଥାନା ମହାବଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା । କଲେଜ ଯାଉଥିବା ଜଣେ ଛାତ୍ରୀଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ହେଲେ ବଡଖୋଳିଆ ଗ୍ରାମର ରଶ୍ମିତା ପ୍ରଧାନ । ସ୍ଥାନୀୟ ଲୋକେ ଟ୍ରାକ୍ଟରକୁ ଅଟକ ରଖିବା ସହ ଡ୍ରାଇଭରଙ୍କୁ ବାନ୍ଧ ପକାଇଥିଲେ । ଘଟଣାକୁ ନେଇ ଉତ୍ତ୍ରଜନା ପରିସ୍ଥିତି ଦେଖା ଦେଇଥିଲା । କଲେଜ ଛାତ୍ରଛାତ୍ରୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ।
ରଶ୍ମିତା ଆଜି ସକାଳେ ସାଇକେଲ ଯୋଗ ଲଙ୍ଗଳେଶ୍ୱର ସ୍ଥିତ ଦୁର୍ଗା ପ୍ରଶନ୍ନ ମହାବିଦ୍ୟାଳୟକୁ ଯାଉଥିଲେ । ଏହି ସମୟରେ ମହାବଳ ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ପଛ ପଟୁ ଧକ୍କା ଦେଇଥିଏେ । ଫଳରେ ଛାତ୍ରୀ ଜଣକ ଦୂରକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟରକୁ ଅଟକ ରଖିବା ସହ ଡ୍ରାଇଭରକୁ ବାନ୍ଧି ରଖିଥିଲେ ।
ଖବର ପାଇ ଶତାଧିକ କଲେଜ ଛାତ୍ରଛାତ୍ରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖିଛି । ମୃତା ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଛି । ପୋଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।