ହାଥରସ ଦଳାଚକଟା ଘଟଣାରେ ୬ ଅଧିକାରୀ ନିଲମ୍ବିତ


ଉତ୍ତର ପ୍ରଦେଶ: ହାଥରସ୍ ଦଳାଚକଟା ଘଟଣାରେ କାର୍ଯ୍ଯାନୁଷ୍ଠାନ ଆରମ୍ଭ । ଏସଆଇଟିର ସୁପାରିଶ ଅନୁସାରେ ୬ ଜଣ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ସେମାନେ ହେଲେ ସ୍ଥାନୀୟ ଏସଡିଏମ୍, ସିଓ, ତହସିଲଦାର, ଇନ୍ସପେକ୍ଟର ଓ ଫାଣ୍ଡି ଅଧିକାରୀ । କର୍ତ୍ତବ୍ଯରେ ଅବହେଳା ଅଭିଯୋଗରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏସଆଇଟି ତଦନ୍ତରୁ ଜାଣିବାକୁ ପାଇଛି, କାର୍ଯ୍ଯକ୍ରମର ଆୟୋଜକ, ତହସିଲ ପ୍ରଶାସନ ଓ ପୋଲିସ ନିଜ କର୍ତ୍ତବ୍ଯରେ ଅବହେଳା କରିଛନ୍ତି । ପୂରା ଘଟଣାର ତଦନ୍ତ କରୁଥିବା ଏସଆଇଟି ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି । ଆଜି ଏକ ରିପୋର୍ଟ ଦାଖଲ କରିଛି ଏସଆଇଟି । ଏଥିରେ ସତସଙ୍ଗ ଆୟୋଜନ କରିଥିବା କମିଟିକୁ ଏହି ଅଘଟଣ ପାଇଁ ଦାୟୀ କରାଯାଇଛି । ଯେତେ ଲୋକଙ୍କ ପାଇଁ ଅନୁମତି ଦିଆଯାଇଥିଲା, ତା’ଠାରୁ ଅଧିକ ଲୋକଙ୍କୁ ସତସଙ୍ଗକୁ ନିମନ୍ତ୍ରଣ କରାଯାଇଥିଲା । ତା’ଛଡ଼ା ସ୍ଥାନୀୟ ଅଧିକାରୀମାନେ ଏହି କାର୍ୟ୍ଯକ୍ରମକୁ ଏତେ ଗୁରୁତର ସହିତ ନେଇ ନଥିଲେ କି ଉପରିସ୍ଥ ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇ ବି ନଥିଲେ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯାଇଛି । ଏସଡିଏମ୍ ନିଜେ ସତସଙ୍ଗ ସ୍ଥଳ ପରିଦର୍ଶନ ନକରି କାର୍ୟ୍ଯକ୍ରମ ପାଇଁ ଅନୁମତି ଦେଇଥିବାର ଜଣାପଡ଼ିଛି ।
ସୂଚନାଯୋଗ୍ୟ ଜୁଲାଇ ୨ରେ ହାଥରସର ଫୁଲାରୀ ଗାଁରେ ହୋଇଥିବା ସତସଙ୍ଗରେ ଦଳାଚକଟା ଘଟି ୧୨୧ ଜଣଙ୍କ ମୃତ୍ଯୁ ଘଟିଥିଲା ।