ଜନ୍ମବେଦୀରେ ଶ୍ରୀଜିଉ, ଆଜିଠୁ ମିଳିବ ଆଡ଼ପ ଅବଡ଼ା


ପୁରୀ: ଗତ ରାତିରେ ଆଡ଼ପ ବିଜେ ପରେ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଡ଼ପ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା । କୁହାଯାଏ ଏଇ ଆଡ଼ପ ଅବଢ଼ାରୁ କାଣିଚିଏ ପ୍ରାପ୍ତି ହେଲେ କୋଟି ଜନ୍ମର ପୂଣ୍ୟ ଫଳ ମିଳିଥାଏ । ଆଜିଠୁ ୫ ଦିନ ଯାଏଁ ଆଡ଼ପ ଅବଢ଼ା ମିଳିବ।

ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଆସି ମହାପ୍ରଭୁଙ୍କ ଦର୍ଶନ ଠିକ୍ ଭାବେ ପାଇବେ ଓ ଅବଢ଼ା ଖାଇ ସ୍ୱଗୃହକୁ ଫେରିପାରିବେ ସେଥିନିମନ୍ତେ ବ୍ୟବସ୍ଥା କରାଯାଇଛି ।

ଗତରାତିରେ ରଥ ଉପରୁ ଗୋଟି ପହଣ୍ଡିରେ ଯାଇ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଥିଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତା’ପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ । ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର । ପହଣ୍ଡି ବେଳେ ଘଣ୍ଟ ଘଣ୍ଟା ସାଙ୍ଗକୁ ଭକ୍ତଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହୋଇଥିଲା ପରିବେଶ । ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ପହଣ୍ଡି ଦେଖିବାର ସୌଭାଗ୍ୟ ଅର୍ଜନ କରିଥିଲେ ।