ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ


ପୁରୀ: ମହାପ୍ରଭୁ ଜଗନ୍ନାଥ ଭଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଛନ୍ତି । ଆଉ ଶ୍ରୀମନ୍ଦିରରେ ଲକ୍ଷ୍ମୀ ଠାକୁରାଣୀକୁ ଏକା ଛାଡ଼ି ଚାଲିଯାଇଛନ୍ତି । ସ୍ବାମୀଙ୍କ ଏମିତି ବ୍ୟବହାର ମାତା ଲକ୍ଷ୍ମୀଙ୍କୁ ବାଧିଛି । ସେ ଅଭିମାନ କରିଛନ୍ତି । ଆଉ କାହିଁକି ମହାପ୍ରଭୁ ଏମିତି କଲେ ତାହାର ଉତ୍ତର ମାଗିବାକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବାକୁ ମନ ସ୍ଥିର କରିଛନ୍ତି । ଆଜି ହେରା ପଞ୍ଚମୀ ହୋଇଥିବା ବେଳେ ପରମ୍ପରା ଅନୁଯାୟୀ, ସଂଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯିବେ ।

ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବେ ଲକ୍ଷ୍ମୀ ଠାକୁରାଣୀ । ଆଉ ମହାପ୍ରଭୁଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଉତ୍ତର ମାଗିବା ସହ ଶ୍ରୀମନ୍ଦିର ଫେରିବାକୁ କହିବେ । ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି ମାତା ଲକ୍ଷ୍ମୀଙ୍କୁ କହିବେ । ଏହା ଶୁଣିବା ପରେ ମାତା ଲକ୍ଷ୍ମୀ ରାଜ ଜର୍ଜରିତ ସ୍ଥିତିରେ ଶ୍ରୀମନ୍ଦିର ଏକାକୀ ଫେରିବେ । ଆଉ ଏହି ଫେରିବା ବେଳେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଛିଡ଼ା ହୋଇଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇ ଶ୍ରୀମନ୍ଦିର ଚାଲି ଆସିବେ ।

ମହାଲକ୍ଷ୍ମୀଙ୍କ ରାଗ ଦେଖି ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ କରିବାକୁ ମହାପ୍ରଭୁ ସେବାୟତଙ୍କୁ ଆଜ୍ଞା ଦେବେ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିବେ । ଏହାପରେ ତିନି ରଥର ଦକ୍ଷିଣ ମୋଡ଼ ହେବ । ନୀତି ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ, ପରେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯିବ ।