ବିଜେଡି ସରକାରରେ ଥିଲେ ସର୍ବେସର୍ବା, ମାଥିଭାଥନନ- ଭିନିଲଙ୍କୁ ଲୋକସଭା ଭବନରୁ ଡଡିଲେ ମୋହନ ସରକାର


ଭୁବନେଶ୍ୱର: ବିଜେପି ସରକାର କ୍ଷମତାକୁ ଆସିଲା ପରେ ପ୍ରଥମ ଥର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛି । ଆଉ ପୂର୍ବ ସରକାର କ୍ଷମତାଶୀଳ ଆଇଏଏସ ଅଧିକାରୀଙ୍କ ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି । ଯେଉଁ ଆଇଏଏସ ମାନେ ଲୋକସେବା ଭବନରେ ନିଜତ ପତିଆରା ଏବଂ ଆଧିପତ୍ୟ ବିସ୍ତାର କରିଥିଲେ, ବିଜେଡି ସରକାରରେ କ୍ଷମତା କେନ୍ଦ୍ର ଥିଲେ ସେମାନଙ୍କ ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି ମୋହନ ମାଝୀ ସରକାର । ଗତକାଲି ରାତିରେ ହୋଇଥିବା ଅଦଳ ବଦଳ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବରିଷ୍ଠ ଆଇଏଏସ ଜି ମାଥିଭାଥନନ, ଭିନିଲ କ୍ରିଷ୍ଣାଙ୍କୁ ଲୋକସେବା ଭବନରୁ ତଡା ଯାଇଛି । ଉଭୟଙ୍କୁ ଗୁରୁତ୍ୱହୀନ ବିଭାଗର ଦାୟିତ୍ୱ ଦିଆଯାଇଛି ।

୧୦ ବର୍ଷ ହେଲା ନଗର ଉନ୍ନୟନ ବିଭାଗର ଗାଦିକୁ ମାଡି ବସିଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ । ତାଙ୍କୁ ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି । ତାଙ୍କୁ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ଦିଆଯାଇଛି । ଏପରିକି ତାଙ୍କ ପାଖରେ ଥିବା ସଂସଦୀୟ ବ୍ୟାପାର ବିଭାଗକୁ ବି କାଢି ନିଆଯାଇଛି । ବିଜେଡି ସରକାର ସମୟରେ ମାଥିଭାଥନନ ବେଶ କ୍ଷମତାଶାଳୀ ଅଧିକାରୀ ଭାବେ ଜଣାଶୁଣା ଥିଲେ ।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା କ୍ରୀଡା ବିଭାଗର ସଚିବ ଭିନିଲ କ୍ରୀଷ୍ଣାଙ୍କୁ ବି ଲୋକସେବା ଭବନ ବାହାରକୁ ତଡି ଦିଆଯାଇଛି । ତାଙ୍କୁ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ନିଯୁକ୍ତି ମିଳିଛି । ପୂର୍ବ ସରକାର ସମୟରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭିକେ ପାଣ୍ଡିଆନଙ୍କର ବିଶ୍ୱସ୍ତ ଅଧିକାରୀ ଥିଲେ ଭିନିଲ କ୍ରିଷ୍ଣା । ତାଙ୍କ ସହ ସେ ଛାଇ ପରି ରହୁଥିଲେ । ସେ କ୍ରୀଡା ବିଭାଗକୁ ନିଜ ହାତ ମୁଠାରେ ରଖିଥିଲେ । ଆଉ ଏବେ ତାଙ୍କୁ ଲୋକସେବା ଭବନରୁ ବାହାର କରାଯାଇଛି । ଏହି ଦୁଇ ଜଣ ଅଧିକାରୀଙ୍କୁ ଏବେ ଲୋକସେବା ଭବନ ବାହାରେ ରହିବାକୁ ପଡିବ ।