ମୁଖ୍ୟମନ୍ତ୍ରୀଙ୍କୁ ଓଡିଆରେ ଚିଠି ଲେଖିଲେ ନବୀନ ପଟ୍ଟନାୟକ, କହିଲେ- ମୁଁ ବହୁତ ବ୍ୟଥିତ ଓ ମର୍ମାହତ


ଭୁବନେଶ୍ବର: ଗତ ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଆଡ଼ପ ମଣ୍ଡପରେ ବିଜେ କରିବା ବେଳେ ପହଣ୍ଡି ସମୟରେ ଘଟିଥିବା ଅଘଟଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ ପଟ୍ଟନାୟକ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡିଆରେ ଚିଠି ଲେଖି ନିଜର କ୍ଷୋଭ ପ୍ରକାଶ କରିବା ସହ ଏହି ଘଟଣା ଅତ୍ୟନ୍ତ ମର୍ମାହତ ବୋଲି ଲେଖିଛନ୍ତି ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ। ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ସେ ହେଉଛନ୍ତି ଏ ଜାତିର ମଉଡମଣି। ଜଗତର ନାଥ ଜଗନ୍ନାଥ। ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଆସି ପୁରୀ ଧାମରେ ସମ୍ମିଳିତ ହୋଇଥାନ୍ତି ବୋଲି ଲେଖିଛନ୍ତି।

ଚଳିତ ବର୍ଷ ଆଡ଼ପ ମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ଶ୍ରେଷ୍ଠ। ତାଙ୍କର ପହଣ୍ଡି‌ ବେଳେ ଏଭଳି ଅଘଟଣ ଅଶୃତପୂର୍ବ। ଚାରମାଳରେ ପହଣ୍ଡି ସମୟରେ ବଡ଼ଠାକୁର ମୁହଁ ମାଡ଼ି ପଡ଼ିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ରଥଯାତ୍ରାର ହଜାର ହଜାର ବର୍ଷର ପରଂପରାରେ ଏଭଳି ଘଟଣା କେବେ ଘଟି ନଥିଲା। ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣାକୁ ବିଶ୍ବାସ କରି ହେଲା ନାହିଁ।

ଚିଠିରେ ଶ୍ରୀ ପଟ୍ଟନାୟକ ଆହୁରି ଲେଖିଛନ୍ତି ଯେ, ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି। ସରକାରଙ୍କର ଏଭଳି ଆଭିମୁଖ୍ୟ ଜଗନ୍ନାଥପ୍ରେମୀଙ୍କୁ ଆଶ୍ବସ୍ତ କରିବାରେ ସମର୍ଥ ହେଲା ନାହିଁ।

ସୂଚନାଯୋଗ୍ୟ, ଜୁନ ୯ ତାରିଖରେ ଗୋଟି ପହଣ୍ଡିରେ ସୁଦର୍ଶନ ଆଡପ ମଣ୍ଡପରେ ବିଜେ କରିବା ପରେ ବଡ ଠାକୁର ବଳଭଦ୍ରଙ୍କ ରଥ ଉପରୁ ପହଣ୍ଡି ଆରମ୍ଭ ହୋଇଥିଲା । ତେବେ ଅସାବଧନତାବଶତଃ ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ ଠାକୁର ପ୍ରଭୁ ବଳଭଦ୍ର। ଘଣ୍ଟୁଆଙ୍କ ଘଣ୍ଟ ମାଡ଼ର ତାଳେ ତାଳେ ସେବାୟତମାନେ ଗୋଟି ପହଣ୍ଡିରେ ବଡ଼ ଠାକୁରଙ୍କୁ ଆଣିବା ସମୟରେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ। ସେବାୟତଙ୍କ ହାତରୁ ପାଟ ରଶି ଖସିବାରୁ ଏମିତି ଅଘଟଣ ଘଟିଥିବା କୁହାଯାଉଛି। ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। ଏହା ପାଖାପାଖି ୪୦ ମିନିଟ୍ ପହଣ୍ଡି ବିଜେ ବନ୍ଦ ରହିଥିଲା। ପରିସ୍ଥିତି ସ୍ଵାଭାବିକ ହେବା ପରେ ମା ସୁଭଦ୍ରା ଏବଂ ପରେ ଜଗନ୍ନାଥଙ୍କ ପହଣ୍ଡି କରାଯାଇ ଆଡପବିଜେ କରାଯାଇଥିଲା ।