Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ବିଜେଡି-କଂଗ୍ରେସ

ଭୁବନେଶ୍ୱର: ରାଜ୍ୟପାଳଙ୍କ ପୁଅ ନାଁରେ ଏଏସଓଙ୍କୁ ମାଡ ଅଭିଯୋଗ ଘଟଣାରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ । ଏତଲା ହୋଇଛି, କିନ୍ତୁ ପୋଲିସ ପକ୍ଷରୁ ଏ ଯାଏ କିଛି କାର୍ଯ୍ୟାନୁଷ୍ଠାନ ହୋଇନି । ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ ପ୍ରକୋଷ୍ଠ ଖୋଲିଛନ୍ତି । ଲୋକଙ୍କ କଥା ଶୁଣୁଛନ୍ତି । ଏବେ ସାଧାରଣ କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ ।

ଏହି ଘଟଣାରେ ଆଜି ରାଜଭବନ ଆଗରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହି ସମୟରେ ଏକାଧିକ ଆନ୍ଦୋଳନକାରୀ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି । କଂଗ୍ରେସ ନେତା ତାରାବାହିନୀପତି ରାଜ୍ୟପାଳଙ୍କ ପୁଅକୁ ତୁରନ୍ତ ଗିରଫ କରାଯାଉ ବୋଲି କହିଛନ୍ତି । ରାଜ୍ୟପାଳଙ୍କ ପୁଅ ଓ ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବା ଦରକାର । ତୁରନ୍ତ ଗିରଫ କରାଯାଉ । ଏହି ପ୍ରସଙ୍ଗ ବିଧାନସଭାରେ ନିଶ୍ଚୟ ଉଠିବ । ଆବଶ୍ୟକ ପଡିଲେ ରାଜ୍ୟପାଳଙ୍କୁ ମଧ୍ୟ ବିରୋଧ କରାଯିବ ।

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଏଏସଓଙ୍କୁ ମାଡ ମାରିବାର ଆସିଛି ସାଂଘାତିକ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ସଚିବାଳୟରେ କାର‌୍ୟ୍ୟରତ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନ। ଲଳିତ ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତ (ଜୁଲାଇ ୭ ଓ ୮) ପାଇଁ ତାଙ୍କର ପୁରୀ ରାଜଭବନ ଇନଚାର୍ଜ ଡ୍ୟୁଟି ପଡି ଥିଲା। ସେ ଗତ ୫ ତାରିଖରୁ ପୁରୀରେ ଥିଲେ। ୭ ତାରିଖ ରାତି ପ୍ରାୟ ୧୧ଟା ୪୫ରେ ବୈକୁଣ୍ଠନାଥ ରାଜଭବନ ଅଫିସ ରୁମରେ ବସି ଥିଲେ। ଏହି ସମୟରେ ରାଜ୍ୟପାଳଙ୍କ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ।

ଏହା ଶୁଣି ବୈକୁଣ୍ଠନାଥ ତୁରନ୍ତ ଲଳିତଙ୍କ ପାଖକୁ ଯାଇଥିଲେ। ବୈକୁଣ୍ଠନାଥଙ୍କୁ ଦେଖୁଦେଖୁ ଲଳିତ ରାଗି ଯାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ କରିଥିଲେ ବୈକୁଣ୍ଠନାଥ। ଏତିକିରେ ରାଗି ଯାଇଥିଲେ ରାଜ୍ୟପାଳଙ୍କ ପୁଅ । ସେ ବୈକୁଣ୍ଠନାଥଙ୍କୁ ଚାପୁଡ଼ା ମାରିଥିଲେ । ରାଜ୍ୟପାଳଙ୍କ ପୁଅଙ୍କ ସମେତ ୬ ଜଣ ମିଶି ଆକ୍ରମଣ କରିଥିଲେ ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣା ବିଷୟରେ ବୈକୁଣ୍ଠନାଥ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଗତ ୮ତାରିଖରେ ଜଣାଇଥିଲେ। ମାତ୍ର ଘଟଣା ସଂପର୍କରେ ଜାଣିବା ପରେ ବି ଚୁପ୍ ରହିଥିଲେ ଶ୍ରୀ ମିଶ୍ର।

୧୦ ତାରିଖରେ ପୁଣିଥରେ ବୈକୁଣ୍ଠନାଥ ମାଡ଼ ବିଷୟରେ ସଚିବ ଶ୍ରୀ ମିଶ୍ରଙ୍କୁ ଲିଖିତ ଜଣାଇଥିଲେ। ତେବେ ଏନେଇ ରାଜ୍ୟପାଳଙ୍କ ଅଫିସ୍‌ରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଏଥିରେ କେତେ ସତ୍ୟତା ରହିଛି ତଦନ୍ତ ହେଲେ ଜଣାପଡ଼ିବ। ଏହି ଘଟଣା ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସ ଓ ବିଜେଡି ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ