ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର


ଝାରସୁଗୁଡା ୧୪/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ପୁଲିସ ଶନିବାର ସନ୍ଧ୍ୟାରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଉଛନ୍ତି ଲଖନପୁର ବ୍ଲକ ମଚିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଦଡ଼ିହି ଗ୍ରାମର ରବୀରତ୍ନ କର୍ତ୍ତାଙ୍କ ପୁଅ ଦନାର୍ଦ୍ଦନ କର୍ତ୍ତା (୨୫) । ଖବର ପାଇ ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପଞ୍ଚନାମା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠା ଯାଇଛି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତ କାରୀ ଅଧିକାରୀ ଏଏସଆଇ ନରୋତ୍ତମ ସା ସୂଚନା ଦେଇଛନ୍ତି ।
ପୁଲିସର ତଥ୍ୟ ଅନୁଯାୟୀ ମୃତ ଦନାର୍ଦ୍ଦନ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରୁ ଘରୁ ବାହାରି ସକାଳ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଏହା ଜାଣିପାରି ପରିବାର ଲୋକେ ଦିନ ସାରା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ଆଜି ଅପରାହ୍ନ ପ୍ରାୟ ୪ ସମୟରେ କୌଣସି ସୂତ୍ରରୁ ଖବର ପାଇ ଗାଁ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲେ ଏବଂ ସେଠାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦନାର୍ଦ୍ଦନ ଙ୍କ ମୃତଦେହକୁ ଦେଖି ରେଙ୍ଗାଲି ପୁଲିସକୁ ଖବର ଦେଇଥିଲେ । ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗାଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ନରୋତ୍ତମ ସା ଘଟଣା ସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସେ କହିଛନ୍ତି ।