କଟକରେ ପରେ ବାରିପଦା: ପୁଣି ଏକ ନର୍ସିଂହୋମରେ ଲାଗିଲା ନିଆଁ


ବାରିପଦା: କଟକରେ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣାକୁ ଦୁଇଦିନ ବିତିନି ରାଜ୍ୟରେ ଆଉ ଏକ ନର୍ସିଂହୋମରେ ନିଆଁ ଲାଗିଛି । ବାରିପଦାରେ ଥିବା ଘରୋଇ ନର୍ସିଂହୋମ ‘ସାଇ’ରେ ଭଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନର୍ସିଂହେମାର ଦ୍ଵିତୀୟ ମହଲାରେ ଥିବା ଏକ ରୁମରେ ଆଜି ଭୋରରୁ ନିଆଁ ଲାଗିଥିଲା । ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଘଟଣରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡିଛି ।

ଆଜି ଭୋର ସମୟରେ ନର୍ସିଂହେମାର କର୍ମଚାରୀଙ୍କ ଡିୟୁଟି ରୁମରେ ନିଆଁ ଲାଗିଯାଇଥିଲା । ଜଣେ ଷ୍ଟାପ ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ପ୍ରବଳ ଧୂଆଁ ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଯାଇଥିଲା । ବହୁ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ ।

ନିଆଁ ଲାଗିବା ଜଣାପଡିବା ପରେ ସେଠାରେ ଚିକିତ୍ସିତ ହେଉଥିବା ୪ ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଥିଲା । ଅଗ୍ନିକାଣ୍ଡର କାହାର କିଛି କ୍ଷତି ହୋଇଥିବା ଜଣାପଡିନି ।

ସୂଚନାଯୋଗ୍ୟ, କଟକରେ ତ୍ରିଶା ନାମକ ଏକ ଘରୋଇ ନର୍ସିଂହୋମରେ ଦୁଇଦିନ ପୂର୍ବେ ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀଙ୍କୁ ସିଢ଼ି ଦେଇ ବାହାରକୁ ଆଣିବା ବି କଷ୍ଟକର ଥିଲା । ଅଧିକାଂଶ ରୋଗୀଙ୍କୁ ବାଲକୋନୀ ଦେଇ ନିଆଁ ଲାଗିଥିବା ତୃତୀୟ ମହଲାରୁ ଉଦ୍ଧାର କରାଯାଇଥିଲା । ନିଆଁ ନର୍ସିଂହୋମର ଆଇସିୟୁରେ ଲାଗିଥିଲା । ଅଗ୍ନିକାଣ୍ଡରେ ୪୫ ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ୧୭ ଜଣ ଶିଶୁ ଥିଲେ । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ।