ଧକ୍କା ଦେବା ପରେ ଦୁଇ ସାଙ୍ଗଙ୍କୁ ୨ ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ଟ୍ରକ୍


ବାରିପଦା: ବାରିପଦା ସହର ଉପକଣ୍ଠ ପାଲବଣି ବାଇପାସ୍ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟିରେ ଯାଉଥିବା ଦୁଇ ସାଙ୍ଗଙ୍କୁ ଧକ୍କା ଦେବା ପରେ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ମାଲ ବୋଝେଇ ଟ୍ରକ୍ । ଘଟଣା ସ୍ଥଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ମୃତକ ହେଲେ ବାରିପଦା ସଦର ଥାନା ଶିରିଶବଣି ଗାଁର ଶ୍ରୀଧର ହାଁସଦା ଓ ଅନିଲ ହାଁସଦା ।

ଗତକାଲି ବିଳମ୍ୱିତ ରାତିରେ ଶ୍ରୀଧର ଓ ଅନିଲ ସ୍କୁଟି ନେଇ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ଟ୍ରକ୍‌ଟି ସ୍କୁଟି ଆରୋହୀଙ୍କୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ।

ଦୁର୍ଘଟଣା ପରେ ଟ୍ରାକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।