ପସନ୍ଦର ଖାଇବା ନ ବନାଇବାରୁ ମାଆ ତଣ୍ଟି ଚିପି ଦେଲା ପୁଅ


ବାଲେଶ୍ବର: ସାମାନ୍ୟ ଖାଇବା ପାଇଁ ମାଆକୁ ହତ୍ୟା କଲା ପୁଅ । ପାଟି ସୁଆଦ ଖାଇବା ବନାଇ ନଥିବାରୁ ଚିପି ଦେଲା ମାଆର ତଣ୍ଟି । ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତ ତାଳପଦା ଗାଁରେ । ମୃତ ମହିଳା ହେଲେ ବାସନ୍ତି ମହାନ୍ତି । ପୋଲିସ ଅଭିଯୁକ୍ତ ପୁଅ ଅରୁଣ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଗତକାଲି ରାତିରେ ଅରୁଣ ମଦ୍ୟପାନ କରି ଘରକୁ ଆସିଥିଲା । ମନ ପସନ୍ଦର ଜିନିଷ ବନାଇ ଖାଇବାକୁ ଦେବାକୁ କହିଥିଲା ପୁଅ । ଏହାକୁ ନେଇ ମାଆପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଅରୁଣ ଉତ୍‌କ୍ଷିପ୍ତ ହୋଇ ମାଆ ତଣ୍ଟି ଚିପି ଦେଇଥିଲା । ବାସନ୍ତୀଙ୍କୁ ତଣ୍ଟି ଚିପି ମାରୁଥିବା ଦେଖି ଅରୁଣଙ୍କ ସ୍ତ୍ରୀ ଦୌଡ଼ି ଆସି ଛଡ଼ାଇଥିଲେ। ଅରୁଣ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ମାର ଧର କରିଥିଲେ । ଘଟଣାସ୍ଥଳରେ ବାସନ୍ତୀଙ୍କର ମୃତ୍ୟୁ ଘଟିଥିଲା ।

ଘଟଣା ସଂପର୍କରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।