Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ସରକାରର ପ୍ରତିଟି କାମ ଉପରେ ନଜର ରଖିବ ବିଜେଡି, ୫୦ ବିଧାୟକଙ୍କୁ ବିଭାଗ ବାଣ୍ଟିଲେ ନବୀନ

ଭୁବନେଶ୍ଵର: ରାଜ୍ୟରେ ଦୀର୍ଘ ୨୪ ବର୍ଷ ଶାସନ କରିବା ପରେ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିଥିବା ବିଜେଡି ବିରୋଧୀ ଦଳ ଆସନରେ ବସିଛି। ପରାଜୟର ଗ୍ଲାନିକୁ ଭୁଲି ଦୃଢ ବିରୋଧୀ ଦଳ ଭାବେ ଅଣ୍ଟା ଭିଡିଛି ବିଜେଡି । ବିଜେପି ସରକାରଙ୍କ ପ୍ରତିଟି କାର୍ଯ୍ୟ ଉପରେ କଡ଼ା ନଜର ରଖିବାକୁ ଭିନ୍ନ ଏକ କୌଶଳ ଆପଣାଇଛି। ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକ ରଖିବେ ନଜର। ଏମିତିକି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୁଇ ତିନି ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ୫୦ ବିଧାୟକମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ଏ ସଂପର୍କରେ ଦଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ରାଜ୍ୟର ବିଭିନ୍ନ ବିଭାଗରେ ସରକାରଙ୍କ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ବିଜେଡିର ୫୦ ବିଧାୟକଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ଦଳ ସୁପ୍ରିମୋ। ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ରାଜସ୍ଵ ଓ ବିପର‌୍ୟ୍ୟୟ ପ୍ରଶମନ ବିଭାଗ ଦିଆଯାଇଛି। ସେହିପରି ବିଧାୟିକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ଵ ଦିଆଯାଇଛି।

ସେହିପରି ବଦ୍ରି ନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ କଲ୍ୟାଣ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ଖାଦ୍ୟ ଯୋଗାଣ ବିଭାଗ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅରୁଣ କୁମାର ସାହୁଙ୍କୁ ଜଳ ସମ୍ବଳ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ବ୍ରଜ କିଶୋର ପ୍ରଧାନଙ୍କୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଦିବ୍ୟ ଶଙ୍କର ମିଶ୍ରଙ୍କୁ ଶକ୍ତି, ତୁଷାରକାନ୍ତି ବେହେରାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅନନ୍ତ ନାରାୟଣ ଜେନାଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆଦି ବିଧାୟକଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାର ସ୍ଵାର୍ଥ ପାଇଁ ବିଜେଡି କାମ କରିବ ବୋଲି ସ୍ପଷ୍ଟ ସନ୍ଦେଶ ଦେଇ ସାରିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ନିଜର ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଦୃଢତାର ସହ ରଖିବା ପାଇଁ ଦଳ ନିଷ୍ପତ୍ତି ନେଇଛି। କେନ୍ଦ୍ରରେ ହେଉ କି ରାଜ୍ୟରେ ବିଜେଡି ଏକ ଦୃଢ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାର ଆଭାସ ସଂସଦର ଉଚ୍ଚସଦନ ରାଜ୍ୟସଭାରେ ଦେଖିବାକୁ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ