ଖୋଲିଲା ଭିତର ରତ୍ନଭଣ୍ଡାର, ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଯିବ ଅଳଙ୍କାର


ପୁରୀ: ନିର୍ଦ୍ଧାରିତ ସମୟ ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍‌ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ନିଆଯିବ ।

ଭିତର ରତ୍ନଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି । ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରକୁ ଯାଇଛି । ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ଭିତର ରତ୍ନଭଣ୍ଡାର ଖୋଲା ଯାଇଛି । ଭିତର ରତ୍ନଭଣ୍ଡାର ଖୋଲା ଯାଇ ସାରିଥିବା ବେଳେ ଗଜପତି ମହାରାଜା ବି ଉପସ୍ଥିତ ରହିବେ । ସେ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ ।

ଗତ ୧୪ ତାରିଖରେ ଯେଉଁ ଭଳି ଭାବେ SOP ମୁତାବକ ରତ୍ନ ଭଣ୍ଡାର ଖୋଲା ଯାଇଥିଲା ଆଜି ସେହିପରି ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିଥିଲେ । ଉକ୍ତ ଦିନ ବାହାର ରତ୍ନଭଣ୍ଡାରରେ ଥିବା ସବୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଥିବା ବେଳେ ଆଜି ଭିତର ଭଣ୍ଡାରରେ ରାଜରାଜୁଡ଼ା ଅମଳର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁକୁ ଖଟସେଜ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ । ଏହି ସମୟରେ କୌଣସି କମିଟି ସଦସ୍ୟ ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଭିତରକୁ ପ୍ରବେଶ କରି ନାହାନ୍ତି । ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଏହାପରେ ଯାଇ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବ ASI ।

ଆଜି ଭିତର ରତ୍ନଭଣ୍ଡାର ଖୋଲିବା ନିମନ୍ତେ ଶୁଭ ସମୟ ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ମଧ୍ୟରେ ସ୍ଥିର କରାଯାଇଥିଲା । ଏହାପୂର୍ବରୁ ପୂର୍ବାହ୍ନ ୯ଟା ବେଳେ କମିଟି ସଦସ୍ୟମାନେ ରଥ ଉପରେ ଥିବା ମହାପ୍ରଭୁଙ୍କୁ ପ୍ରଣିପାତ କରି ମନ୍ଦିର ଭିତରକୁ ପଶିଥିଲେ । ପରେ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ସମୟରେ ପ୍ରଥମେ ବାହାର ରତ୍ନଭଣ୍ଡାର ଓ ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିବା ଜଣାଯାଇଛି । ଖଟଶେଯରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌କୁ ସବୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆଜି ସଂପୂର୍ଣ୍ଣ କରିବାକୁ ଆଶା ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଆଜି ସ୍ଥାନାନ୍ତର ପ୍ରକ୍ରିୟା ବେଳେ ASI ଟିମ୍‌ ରତ୍ନ ଭଣ୍ଡାରକୁ ଯାଇ ଭିତରର ସ୍ଥିତି ସମୀକ୍ଷା କରିବାକୁ ସୁଯୋଗ ପାଇ ପାରନ୍ତି । ଭିତର ରତ୍ନଭଣ୍ଡାରର ସ୍ଥିତି କ’ଣ ତାହା ସେମାନେ ପରଖି ପାରନ୍ତି । ତେବେ ସମସ୍ତ ଅଳଙ୍କାର ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ASIକୁ ହସ୍ତାନ୍ତର କରାଯିବନି । ପ୍ରତିଦିନ କାମ ସରିବା ପରେ ତାଲାକୁ ଜଉମୁଦ ଦିଆଯିବ ଓ ଚାବିକୁ ଟ୍ରେଜେରୀରେ ରଖାଯିବ ।

୫ ଦଶନ୍ଧି ପୂର୍ବରୁ ଗତ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିବା ବେଳେ ୭୧ ଦିନ ଧରି ଗଣତି ମଣତି ଚାଲିଥିଲା । ତେଣୁ ଏଥର କେତେ ଦିନ ଧରି ଏହି ପ୍ରକ୍ରିୟା ଚାଲିବ ତାହା ସ୍ପଷ୍ଟ ନୁହେଁ ।

ଗତ ରବିବାର ବାହାର ରତ୍ନଭଣ୍ଡାର ସହଜରେ ଖୋଲି ଯାଇଥିଲା । ହେଲେ ଭିତର ଭଣ୍ଡାର ତାଲା ଖୋଲିବାକୁ କମିଟି ସଦସ୍ୟଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । କାରଣ ପୁରୀ ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ଭଣ୍ଡାରର କୌଣସି ଗୋଟିଏ ବି ତାଲା ଖୋଲି ନ ଥିଲା । ତେଣୁ ଏସଓପି ଅନୁସାରେ ସମସ୍ତ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲା ଯାଇଥିବା କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଗତ ଥର ପରି ଏଥର ବି ସ୍ନେକ ହେଲପ ଲାଇନ୍ ସଦସ୍ୟଙ୍କ ସହ ଓଡ୍ରାଫ୍ ଟିମ୍, ଡାକ୍ତରୀ ଟିମ୍ ସଜାଗ ହୋଇ ରହିଛନ୍ତି । 

ରତ୍ନଭଣ୍ଡାର ଖୋଲାଯିବା ନିମନ୍ତେ ଆଜି ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ଯାଉନି । ସିଂହଦ୍ୱାରକୁ ଛାଡ଼ି ବାକି ୩ ଦ୍ୱାର ବନ୍ଦ ରହିଛି । କେବଳ ଅଧିକୃତ ସେବକ ଓ ଅଧିକାରୀଙ୍କୁ ଭିତରକୁ ଛଡ଼ାଯାଉଛି ।