ଶ୍ରୀମନ୍ଦିର ବାହାରେ ସରିଲା ମହାପ୍ରଭୁଙ୍କ ଲୀଳା, ଆଜି ଫେରିବେ ନୀଳକନ୍ଦର


ପୁରୀ: ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରାର ଆଜି ଅନ୍ତିମ ପର୍ବ । ବଡ଼ଦାଣ୍ଡରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିରକୁ ଫେରିଯିବେ ଜଗତ ନାଥ ଜଗନ୍ନାଥ । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ପୁଣି ରତ୍ନସିଂହାସନକୁ ଫେରିଯିବେ ମହାପ୍ରଭୁ ।

ରଥାରୁଢ଼ ଚତୁର୍ଦ୍ଧାମୂତ୍ତି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ପ୍ରବେଶ କରିବେ । ରଥ ଉପରେ ବିଭିନ୍ନ ନୀତିକାନ୍ତି ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ଶ୍ରୀଜିଉଙ୍କର ପହଣ୍ଡି । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଉଭଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ଯାତ୍ରା କରିଥିଲେ । ସାଙ୍ଗରେ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ନେଇ ନଥିଲେ । ଏଥିପାଇଁ ସେ ଅଭିମାନ କରିଛନ୍ତି । ନୀଳାଦ୍ରିବେଜି ନୀତି ଅବସରରେ ଆଜି ରସଗୋଲ ଦେଇ ମାଆ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର । ଜୟ ବିଜୟ ଦ୍ବାରରେ ମହାଲକ୍ଷ୍ମୀଙ୍କର ଅଭିମାନକୁ ଭଞ୍ଜନ କରିବା ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପାଟ ଶାଢି ସହ ରସଗୋଲା ଦେବାର ବିଧି ରହିଛି । ଏହାପରେ ମହାପ୍ରଭୁ ବଡ଼ ଦେଉଳକୁ ପ୍ରବେଶ କରି ଥାଆନ୍ତି ।

ଶ୍ରୀଜିଉଙ୍କ ପତିତପାବନ ଯାତ୍ରାର ଶେଷ ଦିନକୁ ନୀଳାଦ୍ରିବିଜେ କୁହାଯାଏ । ଗତକାଲି ଶ୍ରୀକ୍ଷେତ୍ରରେ ତିନି ରଥ ଉପରେ ଶ୍ରୀଜିଉମାନଙ୍କର ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା ।