ରସଗୋଲା ଦିବସ ପାଳୁଛି ଓଡ଼ିଶା, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ


ଭୁବନେଶ୍ବର: ଆଜି ୧୦ମ ରସଗୋଲା ଦିବସ । ପ୍ରତିବର୍ଷ ଭଳି ସାରା ରାଜ୍ୟରେ ବେଶ ଧୂମଧାମରେ ପାଳନ କରାଯାଉଛି ଏହି ଦିବସ । ଲୋକେ ରସଗୋଲା କିଣି ଘରକୁ ନେଇଯିବା ସହ ସପରିବାରେ ଖାଇବାର ମଜା ନେଉଛନ୍ତି । ଆଜିର ଦିନରେ ନୀଳାଦ୍ରି ବିଜେ ପଡିଥିବାରୁ ରସଗୋଲା ଦିବସର ମହତ୍ବ ବହୁତ ବଢ଼ିଯାଇଛି । କାରଣ, ପରମ୍ପରା ଅନୁସାରେ ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ନୀଳକନ୍ଦରକୁ ପ୍ରବେଶ କରିଥାନ୍ତି ।

ରସଗୋଲା ହେଉଛି ମିଠାମାନଙ୍କ ରାଜା । ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ଅନ୍ୟତମ । କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହାସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ ।

ଏହି ଦିନକୁ ପାଳନ ପାଇଁ ୨୦୧୫ ମସିହା ଜୁଲାଇ ୩୦ ତାରିଖ ନିଳାଦ୍ରୀ ବିଜେ ଦିନ ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା । ଏହାପରେ ୨୦୧୬ ମସିହାରୁ ପାଳିତ ହୋଇ ଆସୁଛି ରସଗୋଲା ଦିବସ । ରସଗୋଲା କାହାର ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆରମ୍ଭ ହୋଇଥିଲା ମିଠା ଯୁଦ୍ଧ । ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା ।୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ୍ ।