ମାଛ ଧରା ହେଲା କାଳ, ନଦୀରେ ଭାସିଗଲେ ବୃଦ୍ଧ


ବାଲେଶ୍ବର: ମାଛ ଧରିବାକୁ ନଦିକୁ ଯିବା ହେଲା କାଳ । ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଘଟଣା ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାଉଡି ଗ୍ରାମରେ ଘଟିଛି । ମୃତ ବୃଦ୍ଧ ଜଣଙ୍କ ହେଲେ ଶ୍ୟାମ ମାଝୀ ।

ମିଳିଥିବା ତଥ୍ୟ ଅନୁସାରେ, ଶ୍ୟାମ ଗତକାଲି ହଂସକରା ନଦୀକୁ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସି ଯିବାରୁ ସେ ନଦୀର ଗଭୀର ଭାଗକୁ ଚାଲିଯାଇଥିଲେ । ଯେଉଁଠି ନଦୀର ସ୍ରୋତ ପ୍ରଖର ଥିଲା । ଫଳରେ ସେ ବୁଡ଼ି ଯାଇଥିଲେ । ପରିବାର ଲୋକେ ଓ ଗା୍ରାମବାସୀ ବହୁ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ସନ୍ଧାନ ମିଳି ନଥିଲା ।

ଆଜି ସକାଳେ ଶ୍ୟାମଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏନେଇ ଗ୍ରାମବସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।