ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିରକୁ ବାହୁଡ଼ିଲେ ଜଗା, ବଳିଆ


ପୁରୀ: ସରିଲା ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଗତକାଳି ରାତିରେ ନୀଳାଦ୍ରିବିଜେ ସହ ରଥଯାତ୍ରାର ଅନ୍ତିମ ପର୍ବ ଶେଷ ହୋଇଛି । ଗୋଟି ପହଣ୍ଡିରେ ତିନି ଠାକୁର ଶ୍ରୀମନ୍ଦିରକୁ ଫେରିଛନ୍ତି । ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ବେଳେ ମାତା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଗତକାଲି ରଥାରୂଢ଼ ଶ୍ରୀଜିଉଙ୍କ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀଳାଦ୍ରିବିଜେ ପ୍ରକ୍ରିୟା । ଗଜପତି ମହାରାଜ ଶ୍ରୀନଅରରୁ ଆସି ସେବାପୂଜା ସାରିବା ପରେ ଚାରମାଳ ଲାଗି ହୋଇଥିଲା । ଏହାପରେ ପହଣ୍ଡି ଆରମ୍ଭ ହୋଇଥିଲା ।

ପ୍ରଥମେ ରାମକୃଷ୍ଣ ଏବଂ ପରେ ମଦନମୋହନ ପହଣ୍ଡିରେ ଶ୍ରୀମନ୍ଦିର ବିଜେ କରିଥିଲେ । ଏହାପରେ ଚକ୍ରରାଜ ସୁଦର୍ଶନକୁ ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା । ପରେ ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଗୋଯି ପହଣ୍ଡିରେ ଶ୍ରୀମନ୍ଦିରକୁ ଯାଇଥିଲେ ।

ହେଲେ ମହାପ୍ରଭୁ ଯେତେବେଳେ ଟାହିଆ ଲଗାଇ ରଥରୁ ଓହ୍ଲାଉଥିଲେ ଦେଖିଲେ ଲକ୍ଷ୍ମୀ ସାଆନ୍ତାଣି ସିଂହଦ୍ବାର କିଳି ଦେଇଥିଲେ । କାରଣ ମହାପ୍ରଭୁ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ରଥଯାତ୍ରାରେ ଯାଇଥିବା ବେଳେ ତାଙ୍କୁ ଶ୍ରୀମନ୍ଦିରରେ ଏକା ଛାଡ଼ି ଯାଇଥିଲେ । ସେ ନଫେରିବାରୁ ହେରାପଞ୍ଚମୀରେ ମାତା ତାଙ୍କୁ ମନାଇ ଫେରାଇ ଆଣିବାକୁ ଗୁଣ୍ଡିଚା ମନ୍ଦିର ଯାଇଥିଲେ ବି ନାଁ ମହାପ୍ରଭୁ ତାଙ୍କୁ ଦେଖା କରିଥିଲେ ନା ଫେରିଥିଲେ । ଯେଉଁଥି ପାଇଁ ମାତା ଲକ୍ଷ୍ମୀଙ୍କ ରୋଷ ବହୁତ ବଢ଼ିଯାଇଥିଲା । ସେ ଶ୍ରୀମନ୍ଦିର ଫେରିବା ବେଳେ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇ ଆସିଥିଲେ । ଏହାପରେ ବାହୁଡ଼ାଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଦେଢ଼ ଶ୍ବଶୁର ବଳଭଦ୍ର ଏବଂ ନଣଦ ସୁଭଦ୍ରା ଶ୍ରୀମନ୍ଦିରକୁ ଯିବା ପରେ ମାତା ଲକ୍ଷ୍ମୀ ସିଂହଦ୍ବାର ବନ୍ଦ କରିଦେଇଥିଲେ । ମହାପ୍ରଭୁ ଶ୍ରୀମନ୍ଦିର ଖୋଲିବାକୁ କହିଥିଲେ ବି ଲକ୍ଷ୍ମୀ ସାଆନ୍ତାଣୀ ତାଙ୍କ କଥା ଶୁଣି ନଥିଲେ । ଏପରିକି ତାଙ୍କୁ ଟାହିଟାପରା କରିବା ସହ ନିଜ ଅଭିମାନ ଜାହିରି କରିଥିଲେ । ସେଠାରେ ଲକ୍ଷ୍ମୀ-ନାରାୟଣଙ୍କ କଳି ହୋଇଥିଲା । ଏହାପରେ ମହାପ୍ରଭୁ ରସଗୋଲା ଖୁଆଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ସିଂହଦ୍ବାର ଖୋଲିଥିଲା । ସିଂହଦ୍ବାର ଖୋଲିବା ଦେଖି ମହାପ୍ରଭୁ ନନ୍ଦିଘୋଷରୁ ଓହ୍ଲାଇ ଆସି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସହ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସମାପନ ହୋଇଥିଲା ।