‘ଶଙ୍ଖ ଭବନ’ ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ, ଅଡୁଆରେ ବିଜେଡି !


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳର ପାର୍ଟି ଅଫିସ୍ ‘ଶଙ୍ଖ ଭବନ’ ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ରାଜଧାନୀ ଭୁବନେଶ୍ୱରର ଗଙ୍ଗନଗର ମୌଜା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପାଶ୍ୱର୍ରେ ୧.୧୮୩ଏକର ପରିମିତ ଜମିରେ ବିଜେଡିର ରାଜ୍ୟ ମୁଖ୍ୟାଳୟ ‘ଶଙ୍ଖ ଭବନ’ ନିର୍ମାଣ ହୋଇଛି । ବିଜେଡି ସରକାରରେ ଥିବା ବେଳେ ସରକାରୀ କ୍ୱାର୍ଟର୍ସ ଭାଙ୍ଗି ଜମି ହାତେଇ ଏହା ଉପରେ ଦଳର ମୁଖ୍ୟାଳୟ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗ ନିଶ୍ଚିତ ଭାବେ ବିଜେଡିକୁ ଅଡୁଆରେ ପକାଇପାରେ ।

ଗଙ୍ଗନଗର ମୌଜା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପାଶ୍ୱର୍ରେ ୧.୧୮୩ଏକର ପରିମିତ ଜମିରାଜ୍ୟ ସାଧାରଣ ପ୍ରଶାସନ ବିଭାଗର । ଏହି ଜମି ଉପରେ ଥିବା ୪ଟି ସରକାରୀ କ୍ୱାର୍ଟର୍ସକୁ ଭାଙ୍ଗି ବିଜେଡିକୁ ଭବ୍ୟ କୋଠା ନିର୍ମାଣ କରିବାକୁ ତତକାଳୀନ ବିଜେଡି ସରକାର ଅନୁମତି ଦେଇଥିଲେ । ଦଳ କ୍ଷମତାରେ ଥିବାରୁ ତା’ର ଫାଇଦା ଉଠାଇ କରୋନା ମହାମାରୀ କଟକଣା ବେଳେ ଗଙ୍ଗନଗର ମୌଜାର ପ୍ଲଟ ନମ୍ବର ୭୯୭ର (ଆଂଶିକ ବା ୦୮୨ ଡିସିମିଲ), ପ୍ଲଟ ୭୯୮ର(ଆଂଶିକ ବା ୦୭୩ ଡିସିମିଲ), ପ୍ଲଟ ନମ୍ବର ୭୯୭/୮୪୯ର ୦୩୮୩ ଏବଂ ପ୍ଲଟ ନମ୍ବର ୮୦୦ର ୬୪୫ଡିସିମିଲ ଜମିକୁ ଲିଜ୍ ସୂତ୍ରରେ ବିଜେଡିକୁ ଦେବା ପାଇଁ ତତକାଳୀନ ବିଜେଡି ସରକାର ନିଷ୍ପତ୍ତି ନେଇଥିଲେ ।

ତେବେ ଏହି ୪ଟି ପ୍ଲଟ୍ ମଧ୍ୟରୁ ୭୯୮ ନମ୍ବର ପ୍ଲଟର କିସମ ‘ସଡ଼କ’ ଥିଲା । ଏହି ସମସ୍ତ ଜମିକୁ ଏକର ପିଛା ୧୦.୪୭କୋଟି ଟଙ୍କାର ବେଂଚମାର୍କ ଭାଲ୍ୟୁଏସନ ଆଧାରରେ ସରକାର ବିଜେଡିକୁ ୧୨ କୋଟି ୯୩ ଲକ୍ଷ ୯୨ହଜାର ୧୨୩ଟଙ୍କାରେ ଦେଇଥିଲେ। ଏଥିରେ ୪ଟି କ୍ୱାର୍ଟର୍ସ ବାବଦ ୫୫ ଲକ୍ଷ ୩୨ ହଜାର ଟଙ୍କା ସାମିଲ୍ ଅଛି।

ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବିଜେଡି ସରକାର ଯାହା ଚାହୁଁଥିଲେ ତାହା କରୁଥିଲେ । ଅଫିସର ମାନଙ୍କ ରାଜ୍ ଚାଲିଥିଲା । ତେଣୁ ଯାହା ଭୁଲ ହୋଇଛି ସବୁ ଜାଣି ଜାଣି କରାଯାଇଛି । ଓଡିଶାକୁ ଜାଣିଶୁଣି କ୍ଷତିରେ ପକାଇଛି ବିଜେଡି ସରକାର । ସେମାନେ ଆଗାମୀ ଦିନରେ ଦଣ୍ଡ ପାଇବେ ସେଥିରେ ସନ୍ଦେହ ନାହିଁ । ପୂର୍ବ ସରକାର ଯେଉଁ ଯେଉଁ ଭୁଲ କରିଛନ୍ତି ଆଉ ଯେଉଁଥି ପାଇଁ ଓଡିଶା ଅପମାନିତ ହୋଇଛି, କ୍ଷତି ସହିଛି, ରାଜ୍ୟର ଗରିବ ଲୋକ ତାର ରାଜସ୍ୱ ହରେଇଛି, ସେସବୁକୁ ନେଇ ଆମ ସରକାର ତଦନ୍ତ କରିବ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଶଙ୍ଖ ଭବନ ସମ୍ପର୍କରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି ଶଙ୍ଖ ଭବନ ପ୍ରସଙ୍ଗରେ ବିଭ୍ରାନ୍ତ କରାଯାଉଛି । ଆଇନ ଆଧାରରେ ସବୁକିଛି କରାଯାଇଛି । ବେଞ୍ଚମାର୍କ ଭ୍ୟାଲ୍ୟୁ ପୈଠ ହୋଇଛି । ଶଙ୍ଖ ଭବନ ଜମି ବଣ୍ଟନ ବେଞ୍ଚମାର୍କ ଭ୍ୟାଲ୍ୟୁ ଆଇନ ଆଧାରିତ ।‌ ଗଙ୍ଗନଗର ବେଞ୍ଚମାର୍କ ଭ୍ୟାଲ୍ୟୁ ପାଖାପାଖି ୧୩ କୋଟି ଟଙ୍କା ପୈଠ ହୋଇଛି । ଲ୍ୟାଣ୍ଡମାର୍କ କମିଟି ୧୧ଟି ବିଭାଗର ରିପୋର୍ଟ ଆଧାରରେ ଅନୁମୋଦିତ ହୋଇଛି । ଗୋଟିଏ ଦିନରେ କମିଟି ବସି ବିଜେଡି ଏବଂ ବିଜେପିକୁ ପାର୍ଟି ଅଫିସ ପାଇଁ ଜାଗା ଆବଣ୍ଟିତ ହୋଇଥିଲା । ଯେଉଁ ରାସ୍ତାକୁ ନେଇ ଅଭିଯୋଗ ଆଣୁଛନ୍ତି ଏହା ରାସ୍ତା ନୁହେଁ ଉପଗଳି ବୋଲି ରେକର୍ଡରେ ରହିଛି । ରେସିଡେନସିଆଲ ଉଦ୍ଦେଶ୍ୟରେ ଦିଆଯାଇଛି ।