ଆଜିଠୁ ବିଜେପି ସରକାରଙ୍କ ପ୍ରଥମ ବଜେଟ ଅଧିବେଶନ


ଭୁବନେଶ୍ବର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟରେ ନୂଆ ସରକାର ଆଣିବେ ପ୍ରଥମ ବଜେଟ । ଅଧିବେଶନରେ ରହିଛି ମୋଟ ୨୭ଟି କାର୍ଯ୍ୟ ଦିବସ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଶୋକ ପ୍ରସ୍ତାବ ଆଗତ କରାଯିବ । ଏହାପରେ ଗୃହକୁ ମୁଲତବି କରାଯିବ ।

ଆସନ୍ତା ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଗୃହରେ ଉପସ୍ଥାପନ ହେବ । ଏଥର ବି ବଜେଟ ଆକାର ବୃଦ୍ଧି ପାଇବ । ଲମ୍ୱା ସମୟର ବଜେଟ ଅଧିବେଶନ ପାଇଁ ଉଭୟ ଶାସକ ଓ ବିରୋଧୀ ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି ।

ପ୍ରଥମ ଥର ପାଇଁ ବିଜେପିକୁ ଗୃହରେ ଶାସକ ଦଳ ଓ ବିଜେଡିକୁ ବିରୋଧୀ ଦଳର ଭୂମିକାରେ ଦେଖିବାକୁ ମିଳିବ । ବିରୋଧୀ ଭାବେ ସରକାରଙ୍କୁ ଘେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ବିଜେଡି । ସେପଟେ ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେପି ମଧ୍ୟ ପ୍ରସ୍ତୁତି କରିଛି ।