ଆହୁରି ୪ ଦିନ କଲବଲ କରିବ ବର୍ଷା


ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଉପରେ ସକ୍ରିୟ ରହିଛି । ଏହା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି । ଦିନରାତି ବର୍ଷା ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରବଳ ସ ଅତି ପ୍ରବଳ ବର୍ଷା ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଆହୁରି ୪ ଦିନ ଏମିତି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜି ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେହିପରି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି ।

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।